ଫ୍ୟାକ୍ଟଚେକ୍: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କ୍ରିକେଟ ତାରକା ଏମଏସ ଧୋନୀଙ୍କ ଫଟୋ ଏଆଇ ଦ୍ୱାରା ନିର୍ମିତ
ବର୍ତ୍ତମାନ ସୁଦ୍ଧା କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନି ରାଜନୀତିରେ ପାଦ ଦେଇନାହାଁନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ।

Claim :
AI-generated photo of cricket star MS Dhoni with PM ModiFact :
ଧୋନି ବିଜେପିରେ ମିଶିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇ ନାହିଁ, ଏପରିକି ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ
୨୦୧୧ ମସିହା ଅପ୍ରେଲ ୨ ଏହି ଦିନରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ଏକଦିବସୀୟ ବିଶ୍ୱକପ୍ ଟାଇଟଲ ଅକ୍ତିଆର କରିଥିଲା । ଧୋନି ଯୁବରାଜଙ୍କ ସହ ମିଶି ୫୪ ରନର ଅପରାଜିତ ଭାଗୀଦାରି କରି ଭାରତକୁ ବିଶ୍ୱ ବିଜେତା କରାଇଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଏହି ବିଜୟକୁ ୧୪ ବର୍ଷ ବିତିଗଲାଣି ।
ତେବେ ବିଗତ ଦିନରେ ଆଇପିଏଲରେ ଧୋନିଙ୍କ ପ୍ରଦର୍ଶନକୁ ନେଇ ସିଏସକେ ଫ୍ୟାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ପ୍ରସାରିତ ଖବର ଅନୁଯାୟୀ, ରାଜସ୍ଥାନ ରୟାଲ୍ସ ସହ ଖେଳିଥିବା ମ୍ୟାଚ୍ ର ୧୮ତମ ଓଭରରେ ରାଜସ୍ଥାନ ସ୍ପିନ୍ ବୋଲିଂ କରିଥିଲେ ବି ସେହି ଓଭରରେ ବଡ ସଟ୍ ଖେଳି ପାରିନଥିଲା ଚେନ୍ନାଇ । ଯେତେବେଳେକି କ୍ରିଜରେ ମହେନ୍ଦ୍ର ସିଂହ ଧୋନି ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ବ୍ୟାଟର ଥିଲେ ।
ତେବେ ଆଇପିଏଲରୁ ଧୋନୀ ଅବସରଗ୍ରହଣ କରିନେବାକଥା ବୋଲି ମଧ୍ୟ କିଛି ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ଏପରିକି ଧୋନି କ୍ରିକେଟ ଛାଡ଼ି ରାଜନୀତିରେ ଯୋଗଦେବେ ବୋଲି ବିଭିନ୍ନ ସ୍ଥାନରେ ଆଲୋଚନାର ବିଷୟ ପାଲଟିଛି ।
ଇତିମଧ୍ୟରେ ଧୋନିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଧୋନିଙ୍କ ସହ ଠିଆ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଉଭୟେ ବିଜେପି ଚିହ୍ନ ଥିବା କପଡ଼ା ବେକରେ ପକାଇଥିବା ବେଳେ, ଫଟୋ ସେୟାର କରି ଧୋନି ବିଜେପିରେ ଯୋଗଦେଲେ ବୋଲି ୟୁଜର୍ସ ଦାବି କରିଛନ୍ତି ।
ଧୋନିଙ୍କୁ ବିଜେପିକୁ ସ୍ୱାଗତ ବୋଲି କିଛି ୟୁଜର୍ସ ଲେଖିଥିବା ବେଳେ ଆଉଜଣେ ୟୁଜର୍ସ ଲେଖିଛନ୍ତି ବିରୋଧୀ ଦଳକୁ ମାତ୍ ଦେବାକୁ ବିଜେପିରେ ସାମିଲ ହେଲେ ଧୋନି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ବର୍ତ୍ତମାନ ସୁଦ୍ଧା ନାହିଁ କୌଣସି ସତ୍ୟତା, ଏପରିକି ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ।
ଧୋନି ରାଜନୀତିରେ ପାଦଦେଇଥିବା ଖବରକୁ ତଦନ୍ତ କରିବାକୁ ଯାଇ ଯେତେବେଳେ ଆମେ ସର୍ଚ୍ଚ କରିଥିଲୁ, କୌଣସି ପ୍ରମୁଖ ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇନଥିଲୁ ।
ସେହିପରି ଧୋନି ଏବଂ ବିଜେପିର ସୋସିଆଲ ମିଡିଆରେ ମଧ୍ୟ ଏନେଇ କୌଣସି ଘୋଷଣା କିମ୍ବା ଏଭଳି କୌଣସି ଫଟୋ ସେୟାର ହୋଇଥିବାର ଦେଖିବାକୁ ପାଇନଥିଲୁ ।
ଅନ୍ୟପଟେ ଭାଇରାଲ ହେଉଥିବା ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ମଧ୍ୟ କୌଣସି ଗଣମାଧ୍ୟମର ଲିଙ୍କ କିମ୍ବା ପୋଷ୍ଟ ହସ୍ତଗତ ହୋଇନଥିଲା ।
ଯଦି ଏଭଳି କୌଣସି ଘଟଣା ଘଟିଥାନ୍ତା ପ୍ରାୟ ସମସ୍ତ ଗଣମାଧ୍ୟମର ପ୍ରମୁଖ ଖବର ଭାବେ ପ୍ରସାରିତ ହୋଇଥାନ୍ତା ।
ଯେତେବେଳେ ଆମେ ଫଟୋକୁ ଅନୁଧ୍ୟାନ କରିଥିଲୁ ଫଟୋରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା ଯେପରିକି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଡାହାଣ ପଟ ଆଖିର ଚଷମା କିଛି ମାତ୍ରାରେ ଅସ୍ପଷ୍ଟ ଜଣାପଡୁଛି । ମୋଦିଙ୍କ ବାମପଟ କାନ୍ଧରେ ମଧ୍ୟ ଏକ ବିଜେପି ଚିହ୍ନ ରହିଛି ଯାହାକି ଅସମ୍ଭବ ପ୍ରାୟ । ଫଟୋର ପଛପଟଟି ଅତ୍ୟଧିକ ଅସ୍ପଷ୍ଟ ଅଥବା ବ୍ଳର ରହିଛି, ଏହିସବୁ ତ୍ରୁଟି କେବଳ ଏଆଇ ଦ୍ୱାରା ସମ୍ଭବ ହୋଇଥାଏ ।
ଫଟୋର ସତ୍ୟତା ଜାଣିବାକୁ ଯାଇ ଉକ୍ତ ଫଟୋକୁ ହାଇଭ ମୋଡରେସନ ରେ ତଦନ୍ତ କରିବାରୁ ଉକ୍ତ ଫଟୋଟି ୯୭% ଏଆଇ ଦ୍ୱାରା ନିର୍ମିତ ବୋଲି ପରୀକ୍ଷାରେ ରିପୋର୍ଟ ପ୍ରକାଶ ପାଇଥିଲା ।
ସେହିପରି ଉକ୍ତ ଫଟୋକୁ ଇଜଇଟ ଏଆଇରେ ପରୀକ୍ଷା କରିବାରୁ ଏହା ୯୭% ମନୁଷ୍ୟ ଦ୍ୱାରା ନିର୍ମିତ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।
ସେହିପରି ଉକ୍ତ ଘଟଣା ନେଇ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଧୋନିଙ୍କ ଏଭଳି କୌଣସି ଫଟୋ ଉଠାଇ ନାହାଁନ୍ତି । ତେଣୁ ଫଟୋ କିମ୍ବା ଫଟୋର ଥିବା ଦାବିରେ କୌଣସି ସତ୍ୟତା ନାହିଁ ।
ଯଦି ଭବିଷ୍ୟତରେ ଏଭଳି କୌଣସି ଘଟଣା ଘଟେ ତେବେ ପାର୍ଟି ପକ୍ଷରୁ ନିଶ୍ଚିତ ସୂଚନା ଦିଆଯିବ, ବୋଲି ରାଜନେତା ଜଣଙ୍କ କହିଛନ୍ତି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ବର୍ତ୍ତମାନ ସୁଦ୍ଧା କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନି ରାଜନୀତିରେ ପାଦ ଦେଇନାହାଁନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାଇରାଲ ହେଉଥିବା ଫଟୋଟି ଏଆଇ ଦ୍ୱାରା ନିର୍ମିତ ।