Fact Check: ବିହାରର ଏକ ପୁରୁଣା ଫଟୋକୁ ଭୁଲ୍ ସୂଚନା ସହ ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟର ଫଟୋ ଭାବେ ସେୟାର କରାଯାଇଛି
ବିହାରର ଏକ ସ୍କୁଲ ଫଟୋକୁ ଦିଲ୍ଲୀ ସ୍କୁଲ ଫଟୋ ଲେଖି ଭୁଲ ତଥ୍ୟ ସେୟାର କରାଯାଇଛି । ଉକ୍ତ ଫଟୋଟି ବହୁ ପୁରୁଣା ବୋଲି ତଦନ୍ତରେ ଜଣାଯାଇଛି ।
Claim :
ରାଜଧାନୀ ଦିଲ୍ଲୀରେ ଥିବା ସରକାରୀ ସ୍କୁଲର ଦୁରାଵସ୍ଥା, ଏପଟେ ଚକାଚକ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନFact :
ଭାଇରାଲ ହେଉଥିବା ସ୍କୁଲ ଫଟୋଟି ହେଉଛି, ବିହାରର
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ମଙ୍ଗଳବାର ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରିଛନ୍ତି । ସମସ୍ତ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି, ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ, ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ, ଜାନୁଆରୀ ୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାର, ଫେବୃଆରୀ ୫ରେ ମତଦାନ ଏବଂ ଫେବୃଆରୀ ୮ରେ ହେବ ଗଣତି ।
ଅନ୍ୟପଟେ ବିକାଶକୁ ନେଇ ବିଜେପି ଏବଂ ଶାସକ ଦଳ ଆପ୍ ମଧ୍ୟରେ କଥା କଟାକାଟି ଆରମ୍ଭ ହୋଇଛି । ବିଜେପି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଶିଷ୍ ମହଲ କହୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସକୁ ପିଏମଙ୍କ ରାଜମହଲ ଦର୍ଶାଇଛି ଆପ୍ । ଫଳରେ ରାଜନୈତିକ ଉଷ୍ମତା ଭିତରେ ଦିଲ୍ଲୀରେ ଶିଷ୍ ମହଲ ବନାମ ରାଜମହଲ ରାଜନୀତି ଜୋର ଧରିଛି ।
ବିଜେପି ଅଭିଯୋଗ କରିଛି ଯେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସିଏମ୍ ହାଉସ୍ ନବୀକରଣରେ ବଡ଼ ଜାଲିଆତି କରିଛନ୍ତି । ପ୍ରାୟ ୮କୋଟି ଟଙ୍କାର ଟେଣ୍ଡର ଥିଲା ବେଳେ ପେମେଣ୍ଟ ୪ ଗୁଣା ଅଧିକ କରାଯାଇଛି ।
ଆପ୍ ସାଂସଦ ସଞ୍ଜୟ ସିଂହ ଏବଂ ମନ୍ତ୍ରୀ ସୌରଭ ଭରଦ୍ୱାଜ ବୁଧବାର ଗଣମାଧ୍ୟମକୁ ସିଏମ୍ ହାଉସ୍ ଦେଖାଇବାକୁ ନେଇଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲା। ଏହି ସମୟରେ ପୁଲିସ ସହ ସଞ୍ଜୟ ସିଂହଙ୍କର ଯୁକ୍ତିତର୍କ ହୋଇଥିଲା। ପୁଲିସ ଭିତରକୁ ନ ଛାଡ଼ିବାରୁ ସଞ୍ଜୟ ସିଂହ ଓ ସୌରଭ ଭରଦ୍ୱାଜ ସେହିଠାରେ କିଛି ସମୟ ବସିରହିଥିଲେ । ଏହାପରେ ସେମାନେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପରେ ନିର୍ମିତ ନୂଆ ପିଏମ୍ ହାଉସ୍ ଅଭିମୁଖେ ବାହାରିଥିଲେ ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଫ୍ରେମରେ ଦୁଇଟି ଫଟୋ କୋଲାଜ ହୋଇଥିବା ବେଳେ ଗୋଟିଏ ପଟେ ଏକ ସୁନ୍ଦର ଅଟ୍ଟାଳିକା ରହିଛି ଏବଂ ଅନ୍ୟପଟେ ଏକ ଅବହେଳିତ ବିଦ୍ୟାଳୟର ଫଟୋ ରହିଛି । ସୋସିଆଲ ମିଡିଆରେ ଫଟୋ ସେୟାର କରି ୟୁଜର୍ସ ଦାବି କରିଛନ୍ତି, ମୁଖ୍ୟମନ୍ତ୍ରୀ ରାଜଭବନ ପରି ଅଟ୍ଟାଳିକାରେ ରହୁଥିବା ବେଳେ ଦିଲ୍ଲୀ ସ୍କୁଲର ଅବସ୍ଥା କିଛି ଏଭଳି ।
ୟୁଜର୍ସ ଉକ୍ତ ଫଟୋକୁ, Kejriwal Sheeshmahal Vs Delhi Govt school, No amount of PR can change the reality କ୍ୟାପସନ ସହ ସେୟାର କରିଛନ୍ତି ।
ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ, କେଜ୍ରିୱାଲଙ୍କ ଶିଷ୍ ମହଲ ବନାମ ଦିଲ୍ଲୀ ବିଦ୍ୟାଳୟ । ସତ୍ୟାସତ୍ୟକୁ କୌଣସି ଦରରେ ମଧ୍ୟ ବଦଳାଇ ହେବନାହିଁ ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଭାଇରାଲ ହେଉଥିବା ଫଟୋରେ ଥିବା ଅଟ୍ଟାଳିକାଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏହା ସତ ହେଲେ, ପାର୍ଶ୍ଵରେ ଥିବା ଅବହେଳିତ ସ୍କୁଲ ଫଟୋଟି ଦିଲ୍ଲୀର ନୁହେଁ ବିହାରର ।
ତଦନ୍ତ କରିବାକୁ ଯାଇ ଆମେ ଅଟ୍ଟାଳିକା ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଇକୋନୋମିକ ଟାଇମ୍ସରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଖବରର ଶୀର୍ଷକ ରହିଛି କେଜ୍ରିୱାଲଙ୍କ ଶିଷ୍ ମହଲ ୭୦ ଲକ୍ଷର ଟିଭି ୨୦ଲକ୍ଷର ସ୍ପା । ଉକ୍ତ ଖବରରେ ଭାଇରାଲ ହେଉଥିବା ଅଟ୍ଟାଳିକାର ଫଟୋ ମଧ୍ୟ ରହିଛି ।
ସେହିପରି ଏନଡିଟିଭି ଉକ୍ତ ଫଟୋକୁ ବ୍ୟବହାର କରି ଉଲ୍ଲେଖ କରିଛି, ଦିଲ୍ଲୀ ରାଜନୀତିର ଚର୍ଚ୍ଚା ଭିତରେ ଖୋରାକ ଯୋଗାଇଛି କେଜ୍ରିୱାଲଙ୍କ ଶିଷ୍ ମହଲ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଅଟ୍ଟାଳିକା ଫଟୋଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଵାସର ।
ସେହିପରି ଅବହେଳିତ ବିଦ୍ୟାଳୟର ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ୧୪ ସେପ୍ଟେମ୍ବର ୨୦୨୪ରେ ଫ୍ରି ପ୍ରେସ୍ ଜର୍ଣ୍ଣାଲରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।
ଖବର ପ୍ରସାରଣରେ ଦେଶରେ ଥିବା ବିଭିନ୍ନ ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ନେଇ ସୂଚନା ରହିଛି । ତେବେ ପ୍ରସାରିତ ଖବରରେ ଭାଇରାଲ ହେଉଥିବା ବିଦ୍ୟାଳୟ ଫଟୋ ମଧ୍ୟ ରହିଛି ।
ତେଣୁ ଏଥିରୁ ଜଣାଯାଏଯେ ସ୍କୁଲ ଫଟୋଟି ବହୁ ପୁରୁଣା ।
ସେହିପରି ଜାଗରଣ ବିହାରର ଡିଜିଟାଲ ସଂସ୍କରଣରେ ବିହାରରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଅବ୍ୟବସ୍ଥା ନେଇ ଏକ ବିସ୍ତୃତ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଛି ।
୦୩ ଜୁନ୍ ୨୦୨୪ରେ ଖବର ପ୍ରସାରଣ କରି ଜାଗରଣ ଉଲ୍ଲେଖ କରିଛି, ବିହାରରେ ଲାଗିରହିଥିବା ହିଟୱେଭକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ଗୁଡିକ ବଦଳାଇ ଯାଇଛି । ଖରା ପୂର୍ବରୁ ଛାତ୍ରଛାତ୍ରୀ ମାନେ କିପରି ସୁରକ୍ଷିତ ଭାବେ ଘରେ ପହଞ୍ଚିପାରିବେ ସେ ନେଇ ପଦକ୍ଷେପ ନିଆଯାଇଛି ।
ସେହିପରି ଉକ୍ତ ଫଟୋଟି ରଏଟର୍ସ ଫଟୋ ଗ୍ୟାଲେରିରେ ମଧ୍ୟ ସ୍ଥାନ ପାଇଛି । ୨୧ ଜୁଲାଇ ୨୦୧୩ରେ ଉକ୍ତ ପୋଷ୍ଟ ହୋଇଥିବା ବେଳେ ବିହାରର ସ୍କୁଲରେ ମଧ୍ୟାହ୍ନ ଭୋଜନ ନେଇ ତଥ୍ୟ ରହିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ବିହାରର ଏକ ସ୍କୁଲ ଫଟୋକୁ ଦିଲ୍ଲୀ ସ୍କୁଲ ଫଟୋ ଲେଖି ଭୁଲ ତଥ୍ୟ ସେୟାର କରାଯାଇଛି । ଉକ୍ତ ଫଟୋଟି ବହୁ ପୁରୁଣା ବୋଲି ତଦନ୍ତରେ ଜଣାଯାଇଛି ।