ଫ୍ୟାକ୍ଟ ଚେକ୍: ପ୍ରକୃତ ଭିଡିଓରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦରବୃଦ୍ଧି ନେଇ ଦେଉଛନ୍ତି ଭାଷଣ
ପ୍ରକୃତ ଭିଡିଓରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦରବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଉକ୍ତ ଭିଡିଓରେ ତାତ୍ସଲ୍ୟ କରକ ଗୀତ ଯୋଡ଼ି ମନ୍ଦ ଉଦେଶ୍ୟରେ ଭିଡିଓଟିକୁ ଭାଇରାଲ କରାଯାଇଛି ।

Claim :
ମଞ୍ଚ ଉପରେ ଗୀତ ଗାଇ ସମାଲୋଚନା କରୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକFact :
ପ୍ରକୃତ ଭିଡିଓରେ ଦରବୃଦ୍ଧି ନେଇ ମଞ୍ଚ ଉପରେ ଭାଷଣ ଦେଉଛନ୍ତି ବିରୋଧୀ ଦଳ ନେତା
ବିଶ୍ବର ଅର୍ଥନୀତିକୁ ଦୃଷ୍ଟିରେ ରଖି ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ ୧୦ଟି କ୍ଷେତ୍ରକୁ ବିଶେଷ ଫୋକସ ଦିଆଯାଇଥିବା ବେଳେ ଯୁବବର୍ଗ, ମହିଳା, କୃଷକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । କୃଷି ଉତ୍ପାଦନ ବୃଦ୍ଧି ଉପରେ ଫୋକସ୍ ଦେବାସହ ଗରିବୀ ଦୂରୀକରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦୀୟ ବଜେଟ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଆଗତ ବଜେଟକୁ ଲୋକାଭିମୁଖୀ, ଲୋକକଲ୍ୟାଣକାରୀ, ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ । ସାମଗ୍ରିକ ଭାବେ ଚଳିତ ବଜେଟ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏହି ବଜେଟ ଉଦ୍ଦିଷ୍ଟ ବୋଲି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି । ସେପଟେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା କହିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓର ଗୋଟିଏ କୋଣରେ ଓଡ଼ିଶାର ଏକ ନିୟୁଜ ଚ୍ୟାନେଲର ଲୋଗୋ ରହିଥିବା ବେଳେ, ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କିଛି କହୁଥିବାର ଦେଖିବାକୁ ମିଳିଛି । ନବୀନଙ୍କ ଦୁଇ ପାର୍ଶ୍ଵରେ ତାଙ୍କର ଅଙ୍ଗରକ୍ଷୀ ଠିଆ ହୋଇଛନ୍ତି ତାଙ୍କ ମଧ୍ୟରୁ ଜଣେ ଏକ ମାଇକ୍ ମଧ୍ୟ ଧରିଛନ୍ତି । ଉକ୍ତ ଭିଡିଓରେ ନବୀନ ଏକ ଗୀତ ମାଧ୍ୟମରେ ଜଣେ ବିଜେଡି ନେତାଙ୍କୁ ତାତ୍ସଲ୍ୟ କରୁଥିବା ଶୁଣିବାକୁ ମିଳିଛି ।
ଉକ୍ତ ନେତାଙ୍କ ହେତୁ ବିଜେଡି ଓଡ଼ିଶାରେ ହାରିଥିବା ଦାବି ସହ ତାଙ୍କୁ ତାତ୍ସଲ୍ୟ କରି ବିଜେଡି ମୁଖ୍ୟ ନବୀନ ଏଭଳି ଗୀତ ଗାଉଥିବାର ଦାବି ହୋଇଛି । ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ,ଭିଡିଓରେ ଅଡିଓକୁ ଯୋଡ଼ାଯାଇ ଭାଇରାଲ କରାଯାଇଛି । ପ୍ରକୃତ ଭିଡିଓରେ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ।
ନବୀନ ଏଭଳି ଗୀତଗାଇ ମଞ୍ଚ ଉପରେ ସମାଲୋଚନା କରିବା ଅସମ୍ଭବ ପ୍ରାୟ । ସେହିଭଳି ଯେତେବେଳେ ନବୀନ ପଟ୍ଟନାୟକଙ୍କ ପୁରୁଣା ଭାଷଣର ଭିଡିଓ ସହ ଉକ୍ତ ଭାଇରାଲ ଭିଡିଓକୁ ତୁଳନା କରାଯାଏ ଉଭୟ ଭିଡିଓରେ ନବୀନଙ୍କ ସ୍ୱରରେ ତାଳମେଳ ଖାଉନଥିବାର ଶୁଣିବାକୁ ମିଳିଛି ।
ସେହିପରି ଭିଡିଓର ଗୋଟିଏ କୋଣରେ ଏକ ଗଣମାଧ୍ୟମର ଲୋଗୋ ଥିବା ବେଳେ ସମ୍ପୃକ୍ତ ଗଣମାଧ୍ୟମର ସୋସିଆଲ ମିଡିଆରେ ଅନୁସନ୍ଧାନ କରିଥିଲୁ । ଉକ୍ତ ଗଣମାଧ୍ୟମର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେଉଥିବା ଭିଡିଓ ସଦୃଶ ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଯେତେବେଳେ ଭାଇରାଲ ଭିଡିଓକୁ ଉକ୍ତ ଭିଡିଓ ସହ ତୁଳନା କରିଥିଲୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।
ଉକ୍ତ ଭିଡିଓରେ ଦରବୃଦ୍ଧି ବିରୋଧରେ ବିଜେଡି ଡାକରା ଦେଇଥିବା ବେଳେ ଏତେ ସଂଖ୍ୟକ ଲୋକ ଏବଂ କର୍ମୀ ଏକାଠି ହୋଇଥିବାରୁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଅଭିଭାଷଣରେ ନବୀନ ଦରବୃଦ୍ଧି ହେତୁ ସାଧାରଣ ଲୋକେ ହଇରାଣ ହେଉଥିବା କହିଥିବା ବେଳେ, ରାଜ୍ୟ ସରକାର କେବଳ ଭାଷଣରେ ସୀମିତ ବୋଲି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଡାଲି, ଚାଉଳ ଠାରୁ ଆରମ୍ଭ କରି ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକଶ ଛୁଆଁ ହୋଇଛି । ବଜାର ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ବୋଲି ମଧ୍ୟ ନବୀନ କହିଛନ୍ତି ।
ସେହିଭଳି ଓଟିଭି, କନକ ନିୟୁଜ ଭଳି ଓଡ଼ିଶାର କିଛି ପ୍ରମୁଖ ଗଣମାଧ୍ୟମ ମଧ୍ୟ ସମାନ ଭିଡିଓକୁ ନିଜ ସୋସିଆଲ ମିଡିଆରେ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ଭିଡିଓରେ ଯେଉଁ ଅଡିଓ ରହିଛି ତାହା ଏଡିଟ୍ କରି ଯୋଡ଼ାଯାଇଚି ।
ସେହିପରି ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ କଳିଙ୍ଗ ଟିଭିରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଖବର ପ୍ରକାଶ କରି କଳିଙ୍ଗ ଟିଭି ଉଲ୍ଲେଖ କରିଛି, ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜୁନ୍ ମାସରେ ବିଜେପି ସରକାର ଗଠନ ହୋଇଥିଲା । ରାଜ୍ୟରେ ନୂତନ ସରକାର ଗଠନ ହେବାକୁ ସାତ ମାସ ବିତିଗଲାଣି, କିନ୍ତୁ ଆମେ କେବଳ ଲମ୍ବା ଭାଷଣ ଶୁଣୁଛୁ କିନ୍ତୁ ମୂଲ୍ୟ ବୃଦ୍ଧି ପାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଉକ୍ତ ପ୍ରସାରିତ ଖବରରେ ଆମେ ଭାଇରାଲ କ୍ଲିପର ଫଟୋ ମଧ୍ୟ ପାଇଥିଲୁ ।
ଖବର ପ୍ରସାରଣ କରି ଈଟିଭି ଓଡ଼ିଆ ଉଲ୍ଲେଖ କରିଛି, ୨୫ ବର୍ଷ ପରେ ଆନ୍ଦୋଳନକୁ ଓହ୍ଲାଇଲେ ନବୀନ । କହିଲେ ଚାଷୀ ମହିଳା କାନ୍ଦୁଛନ୍ତି, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।
ଉକ୍ତ ଭିଡିଓ ନେଇ ରାଜ୍ୟସଭା ସାଂସଦ ସୁଲତା ଦେଉ କହିଛନ୍ତି, ଏହା ସବୁ ଟ୍ରୋଲ ଆର୍ମୀର କାମ । ବିଗତ ଦିନରେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ବିଜେପି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା, ଏନେଇ ଆମେ ସମସ୍ତେ ଟ୍ୱିଟ ମଧ୍ୟ କରିଥିଲୁ, ହେଲେ ମଧ୍ୟ ସେ ଦଳ ଉକ୍ତ ଫଟୋକୁ ହଟାଇଲା ନାହିଁ । ତେଣୁ ତାଙ୍କ ପାଇଁ ସରକାର, ସାଂସଦ, ବିରୋଧି ଦଳ ନେତା କାହାପାଇଁ ମଧ୍ୟ ସମ୍ମାନ ନାହିଁ ।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ପ୍ରକୃତ ଭିଡିଓରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦରବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଉକ୍ତ ଭିଡିଓରେ ତାତ୍ସଲ୍ୟ କରକ ଗୀତ ଯୋଡ଼ି ମନ୍ଦ ଉଦେଶ୍ୟରେ ଭିଡିଓଟିକୁ ଭାଇରାଲ କରାଯାଇଛି ।