Fact Check: ପୁରୀରେ ଘଟିନାହିଁ ଏଭଳି କୌଣସି ଘଟଣା, ଭାଇରାଲ ଭିଡିଓଟି ୨୦୨୧ ମସିହା ବେଙ୍ଗାଲୁରୁର ଘଟଣା
ଭାଇରାଲ ଭିଡିଓଟି ପୁରୀର ନୁହେଁ ବରଂ ୨୦୨୧ ମସିହା ବେଙ୍ଗାଲୁରୁର ଘଟଣା
Claim :
ପୁରୀରେ ଯୁବତୀଙ୍କୁ ଉଲଗ୍ନ କରି ୪ ଯୁବକ ଦେଲେ ଯୌନ ନିର୍ଯାତନାFact :
ଭାଇରାଲ ଭିଡିଓଟି ୨୦୨୧ ମସିହା ବେଙ୍ଗାଲୁରୁର ଘଟଣା
ଭାଇରାଲ ଭିଡିଓ ଏବଂ ସୋସିଆଲ ମିଡିଆ ଏବେ ଯେପରି ମୁଦ୍ରାର ଦୁଇ ପାର୍ଶ୍ଵପରି । ଭିଡିଓକୁ କୋଟିକୋଟି ୟୁଜର୍ସଙ୍କ ପାଖରେ ପହଁଚାଇବା ପାଇଁ ଏବେ ସୋସିଆଲ ମିଡିଆ ହେଉଛି ବଡ଼ ମାଧ୍ୟମ । ଭିଡିଓକୁ ଅପଲୋଡ଼ କରିବା କ୍ଷଣିକ ମଧ୍ୟରେ ସବସ୍କ୍ରାଇବ କିମ୍ବା ଫୋଲୋ କରିଥିବା ବ୍ୟକ୍ତି ତୁରନ୍ତ ଦେଖିପାରିବେ । ସେହିଭଳି ବିଭିନ୍ନ ହ୍ଵାଟସଆପ୍ ଗୃପରେ ମଧ୍ୟ ଏଭଳି ଭାଇରାଲ ଭିଡିଓ ପ୍ରାୟ ପ୍ରତ୍ୟେକ ଦିନ ଆସୁଥିବାର ଦେଖାଦେଇଛି ।
ବିଭିନ୍ନ ସମୟରେ ୟୁଜର୍ସ କିଛି ତଦନ୍ତ ନକରି ଭିଡିଓକୁ ଅନ୍ୟ ଗୃପ କିମ୍ବା ୟୁଜର୍ସଙ୍କୁ ଫୋରୱାର୍ଡ କରିଥିବାର ଦେଖାଦେଇଥାଏ । ଯାହାଫଳରେ ବହୁମାତ୍ରାରେ ମିଛ ଖବର ବ୍ୟାପୁଥିବାର ମଧ୍ୟ ଦେଖାଯାଏ ।
ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆ ତଥା ବିଭିନ୍ନ ହ୍ଵାଟସଆପ୍ ଗ୍ରୁପରେ ଆସୁଥିବାର ସୂଚନା ମିଳିଛି । ଭାଇରାଲ ଭିଡିଓରେ କିଛି ଯୁବକ ଜଣେ ଯୁବତୀଙ୍କୁ ନିର୍ଯାତନା ଦେଉଥିବାର ଜଣାଯାଇଛି ।
ଉକ୍ତ ଭିଡିଓକୁ ନେଇ ସ୍ଥାନୀୟ ଏକ ଗଣମାଧ୍ୟମ ମଧ୍ୟ ଏକ ଖବର ପ୍ରକାଶ କରିଥିଵାର ଦେଖାଯାଇଛି । ଯାହାର ସ୍କ୍ରୀନସଟ୍ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି । ସ୍କ୍ରୀନସଟ୍ ସେୟାର କରିଥିବା ବ୍ୟକ୍ତି ଉକ୍ତ ଗଣମାଧ୍ୟମ ନାଁରେ ଅଭିଯୋଗ କରି ଲେଖିଛନ୍ତି, Fake News Alert ବାଙ୍ଗାଲୋରରେ 3 ବର୍ଷ ତଳେ ଘଟିଥିବା ଏକ ବଲାତ୍କାର ଘଟଣାକୁ ଏବେ ପୁରୀରେ ହୋଇଛି ବୋଲି କହି ପ୍ରସାରଣ କରୁଛି l ଏହା ଏକ ଅନିଚ୍ଛାକୃତ ତ୍ରୁଟି ନା ଶସ୍ତା ସାମ୍ବାଦିକତା l
ସେହିପରି ଆଉଜଣେ ୟୁଜର୍ସ ଉକ୍ତ ଘଟଣାକୁ ନେଇ ଲେଖିଛନ୍ତି, କାହିଁକି ଓଡ଼ିଶାକୁ ବଦନାମ କରିବାକୁ ଏତେ ଇଚ୍ଛା । କାଇଁ ମିଛ ଖବର ପରିବେଷଣ କରୁଛ ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ପୁରୀର ନୁହେଁ ବରଂ ୨୦୨୧ ମସିହା ବେଙ୍ଗାଲୁରୁର ଘଟଣା ।
ତଦନ୍ତ କରିବାକୁ ଯାଇ ଆମେ ଉକ୍ତ ଗଣମାଧ୍ୟମର ସୋସିଆଲ ମିଡ଼ିଆ ସାଇଟରେ ଅନୁସନ୍ଧାନ କରିବାରୁ ଏଭଳି କୌଣସି ଭିଡିଓ ଅପଲୋଡ଼ ହୋଇଥିବାର ପାଇନଥିଲୁ ।
ଉକ୍ତ ସ୍କ୍ରିନସଟ୍ କୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଏନେଇ ନିଜ ଫେସବୁକରେ ଏକ ପୋଷ୍ଟ କରିଥିଵାର ଦେଖିବାକୁ ପାଇଥିଲୁ । ବାଙ୍ଗାଲୋରରେ ୩ବର୍ଷ ତଳେ ଘଟିଥିବା ଏକ ବଲାତ୍କାର ଘଟଣାକୁ ଏବେ ପୁରୀରେ ହୋଇଛି ବୋଲି କହି ପ୍ରସାରଣ କରୁଛି । ଏହା ଏକ ଅନିଚ୍ଛାକୃତ ତ୍ରୁଟି ନା ଶସ୍ତା ସାମ୍ବାଦିକତା ବୋଲି ଉକ୍ତ ପୋଷ୍ଟରେ ଶ୍ରୀ ବିଶ୍ୱାଳ ଉଲ୍ଲେଖ କରିଛନ୍ତି ।
ତେବେ ଉକ୍ତ ପୋଷ୍ଟରେ ଉକ୍ତ ଭିଡିଓ ପ୍ରସାରିତ ହୋଇଥିବା ଲିଙ୍କ ଥିବା ବେଳେ ଏହା ବର୍ତ୍ତମାନ ଲକ୍ ହୋଇଥିବାର ଜଣାପଡିଛି ।
ସେହିପରି ଶ୍ରୀ ବିଶ୍ୱାଳ ଆଉ ଏକ ଲିଙ୍କ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ବାଙ୍ଗାଲୋରର ବୋଲି ଦର୍ଶାଇଛନ୍ତି । ଉକ୍ତ ଲିଙ୍କକୁ ଖୋଲିବାରୁ ଏହା IndiaNews81 ର ବୋଲି ଜଣାପଡିଛି । ଉକ୍ତ ଭିଡିଓକୁ ୨୮ ମଇ ୨୦୨୧ରେ IndiaNews81ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଅପଲୋଡ଼ କରିଥିବା ବେଳେ ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୯୬୦୯ ଭିୟୁ ମିଳିଛି । ଉକ୍ତ ଭିଡିଓ କୁ ଅପଲୋଡ଼ କରି IndiaNews81 ଶୀର୍ଷକରେ ଉଲ୍ଲେଖ କରିଛି, Bengaluru Viral video of a woman raping a ବୋମାନ.
ଯାହାର ଓଡ଼ିଆରେ ଅର୍ଥ ହେଉଛି, ବେଙ୍ଗାଲୁରୁରେ ମହିଳାଙ୍କୁ ଯୌନନିର୍ଯାତନା କରାଯାଇଥିବା ଭିଡିଓ ଭାଇରାଲ ।
ଅଧିକ ଅନୁସନ୍ଧାନ କରିବାରୁ ଉକ୍ତ ଘଟଣାକୁ ବିସ୍ତୃତ ଭାବେ ଲେଖି ୨୮ମଇ ୨୦୨୧ ରେ Times of India ଏକ ଖବର ପ୍ରସାରିତ କରିଥିଵାର ଦେଖାଯାଇଛି ।
ଖବରରେ Times of India ଉଲ୍ଲେଖ କରିଛି, ପୁରୁଣା ମାଡ୍ରାସ ରୋଡ଼ ସ୍ଥିତ ରାମମୂର୍ତି ନଗରରେ ଜଣେ ମହିଳାଙ୍କୁ ରେପ୍ ଅଭିଯୋଗ ନେଇ ୪ ବାଙ୍ଗଲାଦେଶୀ ଯୁବକ ସହ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ ।
ସେହିପରି ଉକ୍ତ ଖବରରେ ଆସାମ ପୋଲିସ୍ ଟ୍ୱିଟ କରିଥିବା ଏକ ପୋଷ୍ଟ ଦେଖିବାକୁ ପାଇଥିଲୁ । ଉକ୍ତ ପୋଷ୍ଟଟି ୨୭ ମଇ ୨୦୨୧ ର ହୋଇଥିବା ବେଳେ ଉକ୍ତ ପୋଷ୍ଟରେ କିଛି ଫଟୋ ସେୟାର କରି ଆସାମ ପୋଲିସ୍ ଉଲ୍ଲେଖ କରିଛି, ଏହି ବ୍ୟକ୍ତି ମାନେ ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯଦି କୌଣସି ବ୍ୟକ୍ତି ଏମାନଙ୍କ ବିଷୟରେ କିଛି ସୂଚନା ଦେବାକୁ ଚାହୁଁଛନ୍ତି ତେବେ ସିଧାସଳଖ ଆମକୁ ଯୋଗାଯୋଗ କରିପାରିବେ। ପୋଷ୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଉକ୍ତ ଘଟଣାଟି କେଉଁ ସ୍ଥାନର ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।
ଯେତେବେଳେ ଆମେ ଉକ୍ତ ଫଟୋ ଏବଂ ଭାଇରାଲ ସ୍କ୍ରିନସଟ୍ କୁ ତୁଳନା କରିଥିଲୁ ଉଭୟ ଫଟୋରେ ଥିବା ବ୍ୟକ୍ତି ଗୋଟିଏ ବୋଲି ଜାଣିବାକୁ ପାଇଥିଲୁ ।
ପରେପରେ ଉକ୍ତ ଖବର ପ୍ରସାରଣକାରୀ ସଂସ୍ଥା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଉଲ୍ଲେଖ କରିଛି , ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଭାଇରାଲ ଭିଡିଓ ନେଇ ପ୍ରସାରିତ ଖବର ଅନିଚ୍ଛାକୃତ ତ୍ରୁଟି ଥିଲା । ଏଥିପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ ।
ତେଣୁ ଏଥିରୁ ଜଣାଯାଏ ଯେ ,ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓଟି ପୁରୀର ନୁହେଁ ବରଂ ୨୦୨୧ ମସିହା ବେଙ୍ଗାଲୁରୁର ଘଟଣା ।