Explainer: ଆସ ଖେଳିବା ହର୍ବାଲ ହୋଲି

ହୋଲି କେବଳ ଏକ ପର୍ବ ନୁହେଁ ଆମ ସଂସ୍କୃତିର ଏକ ପ୍ରତିକ ଏବଂ ପରିଚୟ କହିଲେ ଚଳେ । ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ ପ୍ରାଚୀନ କାଳରୁ ହୋଲି ପର୍ବ ପାଳିତ ହୋଇ ଆସୁଛି । ହୋଲିରେ ରଙ୍ଗ ଲଗାଇବା ପ୍ରଭୁ କୃଷ୍ଣଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ ।
ହୋଲି ଏବଂ ରାଧାକୃଷ୍ଣ
ହୋଲିକୁ ନେଇ ରାଧା କୃଷ୍ଣଙ୍କ ମଧ୍ୟ ବିଭିନ୍ନ କାହାଣୀ ଦେଖା ଯାଇଥାଏ । ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଥରେ ବାଳ ଗୋପାଳ ତାଙ୍କ ମାଆ ଯଶୋଦାଙ୍କୁ ପଚାରିଲେ, ‘ମାତା ରାଧା ଏତେ ସୁନ୍ଦର ଏବଂ ମୋର ରଙ୍ଗ କାହିଁକି କଳା?’ ତା’ପରେ ମାତା ଥଟ୍ଟା କରି କୃଷ୍ଣଙ୍କୁ କହିଥିଲେ ଯେ ଯଦି ତୁମେ ରାଧାଙ୍କୁ ରଙ୍ଗ ଲଗାଇବ, ତେବେ ତାଙ୍କ ରଙ୍ଗ ମଧ୍ୟ ତୁମ ପରି ହୋଇଯିବ । କୁହାଯାଏ ଯେ ଏହାପରେ ଗୋପାଳ ରାଧା ରାଣୀଙ୍କୁ ରଙ୍ଗ ଲଗାଇଥିଲେ ଏବଂ ପରେ ରାଧା ମଧ୍ୟ କୃଷ୍ଣଙ୍କ ଉପରେ ରଙ୍ଗ ଲଗାଇଥିଲେ । ଏହିପରି ହୋଲିରେ ରଙ୍ଗ ସହିତ ଖେଳିବା ଆରମ୍ଭ ହେଲା ।
ରଙ୍ଗବେରଙ୍ଗ ହୋଲି ବଜାର
ହୋଲିକୁ ଦୃଷ୍ଟିରେ ରଖି ବଜାର ଗୁଡିକରେ ରଙ୍ଗ, ବିଭିନ୍ନ ପ୍ରକାରର ପିଚକାରୀ, ମୁଖା ସହ ସୁସ୍ୱାଦୁ ମିଠାରେ ପରିପୂର୍ଣ୍ଣ ହୋଇ ଉଠିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ହୋଲି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଏବଂ ଲୋକମାନେ ବହୁତ ଉତ୍ସାହର ସହିତ ହୋଲି ଗୀତରେ ନାଚୁଛନ୍ତି । ଏହି ହୋଲି କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି । ଏକ ଖବର କାଗଜରେ ପ୍ରସାରିତ ଖବର ଅନୁଯାୟୀ, କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍)ର ମହାସଚିବ ତଥା ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଏଥର ମଧ୍ୟ ବ୍ୟବସାୟୀ ଏବଂ ଗ୍ରାହକମାନେ ହୋଲି ସେଲ୍ ସମୟରେ ଚୀନ୍ ସାମଗ୍ରୀ ବର୍ଜନ କରିଛନ୍ତି । ଲୋକମାନେ କେବଳ ଭାରତରେ ତିଆରି ହର୍ବାଲ ରଙ୍ଗ ଏବଂ ଗୁଲାଲ, ପିଚକାରୀ, ବେଲୁନ, ଚନ୍ଦନ, ପୂଜା ସାମଗ୍ରୀ, ପୋଷାକ ଏବଂ ଅନ୍ୟାନ୍ୟ ଜିନିଷ କିଣୁଛନ୍ତି। ଏହା ଭାରତୀୟ ଉତ୍ପାଦକ ଏବଂ ବିକ୍ରେତାମାନଙ୍କୁ ବିପୁଳ ଲାଭ ପ୍ରଦାନ କରୁଛି। ବଜାରରେ, ହର୍ବାଲ୍ ରଙ୍ଗର ସର୍ବାଧିକ ଚାହିଦା ରହିଛି। ଲୋକମାନେ ଭାରତୀୟ ଉତ୍ପାଦକମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧୀୟ ଉତ୍ପାଦ କିଣିବାକୁ ପସନ୍ଦ କରୁଛନ୍ତି ।
କ୍ଷତିକାରକ ଅପ୍ରାକୃତିକ ରଙ୍ଗ
ତେବେ କିଛି ସ୍ଥାନରେ ପ୍ରାକୃତିକ ବା ହର୍ବାଲ ରଙ୍ଗ ବଦଳରେ ଅସ୍ବାସ୍ଥ୍ୟକର ତଥା ମାରାତ୍ମକ ରାସାୟନିକ ରଙ୍ଗ ବ୍ୟବହାର କରାଯାଇଥାଏ । ଏହି ସବୁ କୃତ୍ରିମ ତଥା ଅସ୍ବାସ୍ଥ୍ୟକର ରଙ୍ଗ ବିଭିନ୍ନ ପ୍ରକାରର ଶସ୍ତା ଏବଂ ଅସ୍ବାସ୍ଥ୍ୟକର ରାସାୟନିକ ସାମଗ୍ରୀ ବ୍ୟବହାର କରି ତିଆରି କରାଯାଇଥାଏ । ଯେପରିକି କିଛି ଶୁଷ୍କ ରଙ୍ଗରେ ପ୍ରଚୁର ମାତ୍ରାରେ ଅଭ୍ର ବା ବାଲି ମିଶ୍ରିତ ଆଜବେଷ୍ଟସ ଅଟେ। ଭାରି ଧାତୁଗୁଡ଼ିକ ପ୍ରଣାଳୀବଦ୍ଧ ଜହର, ଯେଉଁମାନେ କି ଶରୀରର ବିପାକ କ୍ରିୟାକୁ ବାଧାପ୍ରାପ୍ତ କରାନ୍ତି ଓ ବୃକ୍କ, ଯକୃତ୍ ଓ ଅସ୍ଥି ପରି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଗଚ୍ଛିତ ହୁଅନ୍ତି । ଭାରି ଧାତୁ ମଧ୍ୟରେ ସିସା ମନୁଷ୍ୟ ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ ଓ ଶିଖିବାର ସାମର୍ଥ୍ୟକୁ ନଷ୍ଟ କରିଦିଏ ବିଶେଷ କରି ଏହା ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ।
ବିଷାକ୍ତ ହେଉଛି ପରିବେଶ
ଥରେ ଭାବି ଦେଖନ୍ତୁ ଏହିସବୁ ବିଷାକ୍ତ ଦ୍ରବ୍ୟ ହୋଲି ପରେ ଜଳରେ ମିଶି ପରିବେଶରେ ପ୍ରବେଶ କରି, ଜଳ ଓ ମୃତ୍ତିକାକୁ କେତେ ମାତ୍ରାରେ ପ୍ରଦୂଷିତ କରୁନଥିବେ। ଏହି ବିଷାକ୍ତ ରସାୟନ ପୁଣି ଖାଦ୍ୟ ଶୃଙ୍ଖଳରେ ସଞ୍ଚୟ ହୋଇ ଦୀର୍ଘ ଦିନ ପରେ ମନୁଷ୍ୟ ଶରୀରକୁ ପ୍ରତ୍ୟାବର୍ତ୍ତନ କରେ ଏବଂ ସାଙ୍ଘାତିକ ରୋଗର କାରଣ ହୋଇଯାଏ । ତେଣୁ ହୋଲିରେ ବ୍ୟବହୃତ ରାସାୟନିକ ରଙ୍ଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉଭୟ ମନୁଷ୍ୟ ଓ ପରିବେଶ ପ୍ରତି କ୍ଷତିକାରକ।
ଆସ ତିଆରି କରିବା ଫଗୁ
ଅନୁକୁଳ ପରିବେଶ ଏବଂ ନିଜର ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଏହି ରଙ୍ଗଗୁଡ଼ିକୁ ଆମେ ଘରେ ପ୍ରସ୍ତୁତ କରି ପାରିବା । ଯେପରିକି ସବୁଜ ବା ହରିତ୍ ରଙ୍ଗ ପ୍ରସ୍ତୁତ କରିବା ପାଇଁ ଆମେ ମେହେନ୍ଦିକୁ ଚୂର୍ଣ୍ଣ କରି ପ୍ରସ୍ତୁତ କରିପାରିବା କିମ୍ବା କୃଷ୍ଣଚୂଡ଼ା ପତ୍ର, ଶାଗ ପତ୍ର କିମ୍ବା ନିମପତ୍ରକୁ ଶୁଖାଇ ଓ ଗୁଣ୍ଡ କରି ସବୁଜ ଫଗୁ ଭାବରେ ବ୍ୟବହାର କରାଯାଇ ପାରିବ । ହଳଦିଆ ରଙ୍ଗ ପ୍ରସ୍ତୁତି ପାଇଁ ହଳଦୀ ଗୁଣ୍ଡ ଓ କଞ୍ଚା ହଳଦୀ ବଟାକୁ ଚନ୍ଦନରେ ମିଶାଇ ବହଳ ଅଠାଳିଆ ରଙ୍ଗ ଓ ହଳଦୀ ବଟା ଦ୍ରବଣକୁ ଜଳ ରଙ୍ଗ ଆକାରରେ ବ୍ୟବହାର ହୋଇପାରିବ ।
ସେହିପରି ଏହାଛଡ଼ା ବେଲକୁ ଶୁଖାଇ ଗୁଣ୍ଡ କରି କିମ୍ବା ଗେଣ୍ଡୁ ଓ ସୂର୍ଯ୍ୟମୁଖୀ ଭଳି ହଳଦିଆ ରଙ୍ଗ ଫୁଲକୁ ଶୁଖାଇ ଗୁଣ୍ଡ କରି ହଳଦିଆ ଫଗୁ ପ୍ରସ୍ତୁତ କରାଯାଇ ପାରିବ । ବିଭିନ୍ନ ସ୍ଥାନରେ ପଳାଶ ଫୁଲକୁ ଶୁଖାଇ ସେଥିରୁ ହଳଦିଆ କିମ୍ବା କମଳା ରଙ୍ଗ ପ୍ରସ୍ତୁତ କରିଥାନ୍ତି । ତେବେ ବହୁ ସ୍ଥାନରେ ଏବେ ହର୍ବାଲ ହୋଲି ଖେଳୁଥିବାର ଦେଖାଯାଇଛି । ଲୋକେ ନିଜର ଏବଂ ମା ମାଟିର ସୁରକ୍ଷା ନେଇ ସଚେତନ ହେଲେଣି । ତେବେ ଅଳ୍ପକିଛି ସ୍ଥାନରେ ଆହୁରି ସଚେତନତାର ଅଭାବ ରହିଛି । ଯଦି ସେତିକି ସଚେତନତା ବ୍ୟାପିଯିବ ତେବେ ନିଜର ସ୍ୱାସ୍ଥ୍ୟ ଏବଂ ପରିବେଶକୁ ବିଷାକ୍ତ ପ୍ରଦୂଷଣ ସୃଷ୍ଟିକାରୀ ପଦାର୍ଥରୁ ଆମେ ନିଶ୍ଚିତ ରକ୍ଷା କରିପାରିବା ।