ଫ୍ୟାକ୍ଟ ଚେକ୍: ବିହାରରେ ଘଟିଥିବା ହତ୍ୟାକାଣ୍ଡର ଘଟଣାକୁ ବିଭ୍ରାନ୍ତିକର ଦାବି ସହ କରାଯାଇଛି ସେୟାର
ବିହାରରେ ଘଟିଥିବା ହତ୍ୟାକାଣ୍ଡ ଘଟଣାକୁ ଖୁଲନା ଅଞ୍ଚଳରେ ଘଟିଥିବା ଲେଖି ବିଭ୍ରାନ୍ତିକରକ ପୋଷ୍ଟ ସେୟାର କରାଯାଇଛି । ଉକ୍ତ ଘଟଣା ସହ ବାଂଲାଦେଶର ନାହିଁ କୌଣସି ସମ୍ପର୍କ । ସେହିପରି ଉକ୍ତ ଘଟଣା ପଛରେ କୌଣସି ସାମ୍ପ୍ରଦାୟିକ ପରିସ୍ଥିତିଥିବା ବର୍ତ୍ତମାନ ସୁଦ୍ଧା ପ୍ରମାଣିତ ହୋଇ ପାରିନାହିଁ ।

Claim :
ବାଂଲାଦେଶରେ ଜଣେ ହିନ୍ଦୁ ମହିଳାଙ୍କ ଉପରେ ଆକ୍ରମଣ ପରେ ହତ୍ୟାFact :
ଭାଇରାଲ ହେଉଥିବା ଭିଡିଓଟି ଫେବ୍ରୁଆରୀ ୨୦୨୫ରେ ବିହାରରେ ଘଟିଥିବା ଜଣେ ମହିଳାଙ୍କ ହତ୍ୟାକାଣ୍ଡର ଅଟେ । ବାଂଲାଦେଶରେ ସହ ଉକ୍ତ ଘଟଣାର ନାହିଁ କୌଣସି ସମ୍ପର୍କ ।
ଭାଇରାଲ ଭିଡିଓର ବାହକ ସାଜିଛି ସୋସିଆଲ ମିଡିଆ । ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ନୂଆନୂଆ ସୂଚନା ସହ କିଛି ନୂଆନୂଆ ଭିଡିଓ ଭାଇରାଲ ହେବାରେ ଲାଗିଥାଏ । ବର୍ତ୍ତମାନର ଯୁବପିଢ଼ି ସକାରାତ୍ମକ ସୂଚନା ଅପେକ୍ଷା ନକରାତ୍ମକ ସୂଚନା ଏବଂ ଭିଡିଓ ବେଶି ଦେଖୁଥିବାର ଦେଖିବାକୁ ମିଳିଛି । ଅଧିକ ଲାଇକ କମେଣ୍ଟ ଆଶାରେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ନପରଖି ସେୟାର କରିବାରେ ଲାଗିଛନ୍ତି । ତେଣୁ ବହୁଳ ମାତ୍ରାରେ ଭୁଲ୍ ସୂଚନା ବ୍ୟପିବାରେ ଲାଗିଛି ।
ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ବୁଦାଳିଆ ସ୍ଥାନ ଭିତରେ ନୀଳ ରଙ୍ଗର ଶାଢୀ ପିନ୍ଧି ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି । କିଛି ସମୟ ପରେ ଦେଖିବାରୁ ମୃତ ମହିଳାଙ୍କ ଶରୀରଟି ମୁଣ୍ଡ ବିହୀନ ବୋଲି ଜଣାଯାଇଛି । ଉକ୍ତ ଭିଡିଓଟି ବାଂଲାଦେଶରେ ଜଣେ ହିନ୍ଦୁ ମହିଳାଙ୍କ ଉପରେ ଆକ୍ରମଣ ବୋଲି ଦାବି ହୋଇଛି । ଆକ୍ରମଣରେ ମହିଳାଙ୍କୁ ହତ୍ୟାକରି ତାଙ୍କ ମୁଣ୍ଡ କାଟି ନିଆଯାଇଥିବା ବେଳେ ଶରୀରକୁ ଏକ ଫସଲ ଜମିରେ ଫିଙ୍ଗି ଦିଆଯାଇଛି ବୋଲି ଦାବି ରହିଛି ।
ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, A Hindu woman was allegedly raped and murdered in #Khulna district.Unknown perpetrators cut her head and threw the body in the corn field. Still, her head is missing. Her body was recovered this morning(03/03/2025).
ଯାହାର ଓଡ଼ିଆ ଅନୁବାଦ ହେଉଛି, ଖୁଲନା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କୁ ଧର୍ଷଣ କରାଯାଇ ପରେପରେ ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ମହିଳାଙ୍କ ମୁଣ୍ଡ କାଟି ନେଇଥିବା ବେଳେ, ଶରୀରକୁ ଏକ ମକାକ୍ଷେତରେ ଫିଙ୍ଗିଦେଇଛନ୍ତି । ତାଙ୍କ ମୁଣ୍ଡଟି ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଶରୀରଟି ୩ ମାର୍ଚ୍ଚ ୨୦୨୫ ସକାଳୁ ଉଦ୍ଧାର କରାଯାଇଛି, ବୋଲି ଉଲ୍ଲେଖ ରହିଛି ।
ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର । ବିହାରରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ବାଙ୍ଗଲାଦେଶରେ ଘଟିଥିବା ଏକ ସାମ୍ପ୍ରଦାୟିକ ହତ୍ୟାକାଣ୍ଡ ଲେଖି ସେୟାର କରାଯାଇଛି ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ନିକଟରେ ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥାନ୍ତା ।
ଉକ୍ତ ଭିଡିଓକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଫେସବୁକ ଭିଡିଓ ପୋଷ୍ଟ ହସ୍ତଗତ ହୋଇଥିଲା । ଉକ୍ତ ପୋଷ୍ଟରେ ଏକ ଭିଡିଓ ହସ୍ତଗତ ହୋଇଥିବା ବେଳେ ଏହା ଭାଇରାଲ ଭିଡିଓର ଏକ ଲମ୍ବା ଭିଡିଓ ବୋଲି ଦେଖିବାକୁ ପାଇଥିଲୁ । ଭାଇରାଲ ଭିଡିଓରେ କେବଳ ମୃତଦେହ ଦେଖିବାକୁ ମିଳିଥିବା ବେଳେ ଏଠାରେ କିଛି ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।
ଯାହାର ଲିଙ୍କ ଏଠାରେ ଉପଲବ୍ଧ ରହିଛି । (ସ୍ପଷ୍ଟିକରଣ : ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କତା ଅବଲମ୍ବନ କରନ୍ତୁ )
ଉକ୍ତ ଭିଡିଓରେ କିଛି ବ୍ୟକ୍ତି ଠିଆ ହୋଇଥିବା ବେଳେ ଏହା ନିକଟରେ ଏକ ଲାଲ ରଙ୍ଗର ବାଇକ ଥୁଆ ହୋଉଥିଲା ଯାହାକୁ ଜୁମ୍ କରି ଦେଖିବାରୁ ଏହା ବି.ଆର. ଅର୍ଥାତ ବିହାର ଅଞ୍ଚଳର ନମ୍ବର ଥିବାର ଦେଖିବାକୁ ମିଳିଥିଲା ।
ଏଥିରୁ ଅନୁମାନ କରାଯାଏ ଯେ, ଉକ୍ତ ଭିଡିଓଟି ବିହାର ଅଞ୍ଚଳର ହୋଇଥାଇପାରେ ।
ତେବେ ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିବାରୁ, ପ୍ରଭାତ ଖବର ନାମକ ଏକ ଗଣମାଧ୍ୟମରେ ଏନେଇ ଏକ ବିସ୍ତୃତ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା । ଖବର ପ୍ରସାରଣ କରି ପ୍ରଭାତ ଖବର ଉଲ୍ଲେଖ କରିଛି, ମୋତିହାରୀ ଜିଲ୍ଲା (ପୂର୍ବ ଚମ୍ପାରଣ) ର ରାଜେପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଗାଲିମପୁର ଗ୍ରାମରେ ଥିବା ଏକ ମକାକ୍ଷେତରେ ଜଣେ ମଧ୍ୟବୟସ୍କ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ମହିଳାଙ୍କ ମୁଣ୍ଡ ନିକଟସ୍ଥ ଗହମ କ୍ଷେତରୁ ମିଳିଥିଲା, ଏବଂ ସେ ନୀଳ ଶାଢ଼ି ଏବଂ ବ୍ଲାଉଜ୍ ପିନ୍ଧିଥିଲେ। ମୃତକଙ୍କ ପରିଚୟ ତୁରନ୍ତ ଜଣାପଡିନାହିଁ, ଏବଂ ରାଜେପୁର ପୋଲିସ ଘଟଣାର ତଦନ୍ତ କରୁଛି ।
ସେହିପରି ପବ୍ଲିକ ଆପ୍ ରେ ଏନେଇ ଖବର ପ୍ରସାରିତ ହୋଇଥିବା ବେଳେ ସମାନ ସୂଚନା ଥିବାର ଜଣାଯାଇଛି I
ଯାହାର ଲିଙ୍କ ଏଠାରେ ଉପଲବ୍ଧ ରହିଛି I (ସ୍ପଷ୍ଟିକରଣ : ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କତା ଅବଲମ୍ବନ କରନ୍ତୁ )
ଅନ୍ୟପଟେ ଫ୍ୟାକ୍ଟଲି ନାମକ ଏକ ଗଣମାଧ୍ୟମ ଏହାକୁ ତଦନ୍ତ କରିଥଳ ଉଲ୍ଲେଖ କରିଛି, ଆମେ ରାଜେପୁର ପୋଲିସ ସହିତ ଯୋଗାଯୋଗ କରିଥିଲୁ। ରାଜେପୁର ପୋଲିସ ଷ୍ଟେସନର ଏସଏଚଓ ମୁକେଶ କୁମାର ଫ୍ୟାକ୍ଟଲିକୁ ନିଶ୍ଚିତ କରିଛନ୍ତି ଯେ ଭାଇରାଲ ଭିଡିଓରେ ଫେବୃଆରୀ ୨୦୨୫ ରେ ବିହାରର ଗାଲିମପୁର ଗ୍ରାମର ଏକ ମକା କ୍ଷେତରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିବା ଘଟଣାର। ସେ ଆହୁରି କହିଛନ୍ତି ଯେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଅଜଣା ଏବଂ ତଦନ୍ତ ଜାରି ରହିଛି । ମୋତିହାରୀ ପୋଲିସ ଅଧିକ୍ଷକ ସ୍ୱର୍ଣ୍ଣ ପ୍ରଭାତ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ଏହି ସୂଚନାକୁ ନିଶ୍ଚିତ କରିଛନ୍ତି ବୋଲି ଫ୍ୟାକ୍ଟଲି ଉଲ୍ଲେଖ କରିଛି ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର । ବିହାରରେ ଘଟିଥିବା ହତ୍ୟାକାଣ୍ଡ ଘଟଣାକୁ ଖୁଲନା ଅଞ୍ଚଳରେ ଘଟିଥିବା ଲେଖି ବିଭ୍ରାନ୍ତିକରକ ପୋଷ୍ଟ ସେୟାର କରାଯାଇଛି । ଉକ୍ତ ଘଟଣା ସହ ବାଂଲାଦେଶର ନାହିଁ କୌଣସି ସମ୍ପର୍କ । ସେହିପରି ଉକ୍ତ ଘଟଣା ପଛରେ କୌଣସି ସାମ୍ପ୍ରଦାୟିକ ପରିସ୍ଥିତିଥିବା ବର୍ତ୍ତମାନ ସୁଦ୍ଧା ପ୍ରମାଣିତ ହୋଇ ପାରିନାହିଁ ।