ଫ୍ୟାକ୍ଟ ଚେକ୍: ପ୍ରତିକ୍ରିୟା ଦେବା ସମୟରେ ରେଳମନ୍ତ୍ରୀ ଭାବବିହ୍ଵଳ ହୋଇଥିବା ଭିଡିଓଟି ବାହାନଗା ଟ୍ରେନ ଦୁର୍ଘଟଣା ସମୟର
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭାଇରାଲ ଭିଡିଓଟି ବାଲେଶ୍ୱର ଜିଲ୍ଲାର ବାହାନଗା ଟ୍ରେନ ଦୁର୍ଘଟଣାର ପ୍ରତିକ୍ରିୟା ଭିଡିଓ ।

Claim :
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅଘଟଣ ଦେବା ସମୟରେ କିଛି ଏଭଳି କହିଲେ ରେଳମନ୍ତ୍ରୀFact :
ପ୍ରତିକ୍ରିୟା ଦେବା ସମୟରେ ରେଳମନ୍ତ୍ରୀ ଭାବବିହ୍ଵଳ ହୋଇଥିବା ଭିଡିଓଟି ବାହାନଗା ଟ୍ରେନ ଦୁର୍ଘଟଣା ସମୟର
ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣା ପରେ ନୂଆମୋଡ଼ ନେଲା ରେଳମନ୍ତ୍ରାଳୟ । ଏଣିକି ଭିଡିକୁ ନିୟନ୍ତ୍ରଣ କରିବାର ମାଧ୍ୟମ ସଜିବ ଏଆଇ । ଅନ୍ୟପଟେ ଆଉକିଛି ଗୁରୁତ୍ବପୂର୍ଣ୍ଣ ଦିଗକୁ ମଧ୍ୟ ଧ୍ୟାନ ଦିଆଯିବ । ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣା ପରେ ସଜାଗ ରେଳମନ୍ତ୍ରାଳୟ । ଆଗକୁ ଯେପରି କୌଣସି ବି ରେଳ ଷ୍ଟେସନରେ ଏଭଳି ଘଟଣା ଯେପରି ନଘଟେ ସେନେଇ ନିଆଯାଇଛି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମିଳିଥିବା ସୂଚନା ଅନୁଯାୟୀ, ଦେଶର ୬୦ଟି ରେଳଷ୍ଟେସନକୁ ଜଗିବ ଏଆଇ । ଭିଡ଼ ନିୟନ୍ତ୍ରଣ କରିବା ସହ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବ । ଟ୍ରେନ ବିଳମ୍ବ ହେଲେ ଏଆଇ ଦ୍ବାରା ଭିଡ଼କୁ ନିୟନ୍ତ୍ରଣ କରାଯିବ । ସିଡି, ଫୁଟ ଓଭରବ୍ରିଜ ସହ ସମସ୍ତ ଯାତ୍ରୀଙ୍କ ଯାଆସକୁ ମନିଟର କରିବ, ଷ୍ଟେସନରେ ସ୍ଥାୟୀ ହୋଲଡିଂ ଏରିଆ ନିର୍ମାଣ କରାଯିବ ଯାହାଫଳରେ ଭିଡ଼ ହେଲେ ଯାତ୍ରୀଙ୍କୁ ସେଠି ରୋକାଯାଇପାରିବ ।
ଅନ୍ୟପଟେ ଦୁଇ ଘଣ୍ଟାରେ କିଭଳି ଅଢ଼େଇ ହଜାରରୁ ଅଧିକ ପ୍ଲାଟଫର୍ମ ଓ ଜେନେରାଲ ଟିକେଟ ବିକ୍ରି ହେଲା ଏହାକୁ ନେଇ ପ୍ରଶ୍ନ ଉଠୁଛି ।ସେପଟେ ରେଳମନ୍ତ୍ରାଳୟ ଅପରାଗତା ଯୋଗୁଁ କେବଳ ରେଳ ଦୁର୍ଘଟଣା କେବେ ଦଳାଚକଟା ଘଟଣା ଘଟୁଥିବା କହି ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।
ଇତିମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ମନ୍ତ୍ରୀ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବାର ଦେଖିବାକୁ ମିଳିଛି । ସାକ୍ଷାତକାର ଦେଇ ମନ୍ତ୍ରୀ କାନ୍ଦି ପାକାଇ କହିଛନ୍ତି, କିଛି ପରିବାର ଜନ ହଜିଯାଇଛନ୍ତି ତାଙ୍କୁ ଯେକୌଣସି ପରିସ୍ଥିତିରେ ଆମେ ଖୋଜିକି ହସ୍ତାନ୍ତର କରିବୁ ତାହା ଆମର ଦାୟିତ୍ବ, ଆମର ଦାୟିତ୍ୱ ବର୍ତ୍ତମାନ ସୁଦ୍ଧା ସରିନାହିଁ ।
ଉକ୍ତ ଭିଡିଓଟି ଦିଲ୍ଲୀ ଦଳାଚକଟା ଘଟଣା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ବୋଲି ଦାବି ହୋଇଛି । ଉକ୍ତ ଭିଡିଓ ସେୟାର କରି ୟୁଜର୍ସ ଲେଖିଛନ୍ତି, ଦିଲ୍ଲୀ ଦଳାଚକଟା ଘଟଣା ପରେ ଅଶ୍ୱିନୀ ବୈଷ୍ଣବଙ୍କ ପୂର୍ବାନୁମାନମାନ ପ୍ରତିକ୍ରିୟା । ଏଭଳି ମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ଉଚିତ ବୋଲି ୟୁଜର୍ସ ଲେଖିଛନ୍ତି ।
ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ଭିଡିଓଟି ହେଉଛି, ୨୦୨୩ ମସିହାର । ଓଡ଼ିଶାର ବାହାନଗାରେ ଘଟିଥିବା ଏକ ରେଳ ଦୁର୍ଘଟଣାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା । ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଅଘଟଣ ସହ ନାହିଁ କୌଣସି ସମ୍ପର୍କ ।
ତଦନ୍ତ କରିବାକୁ ଯାଇ ଯେତେବେଳେ ନୂଆଦିଲ୍ଲୀ ଅଘଟଣରେ ରେଳମନ୍ତ୍ରୀଙ୍କ ପ୍ରତିକ୍ରିୟା ଅନୁସନ୍ଧାନ କରିଥିଲୁ, ଏନେଇ ତାଙ୍କ ସୋସିଆଲ ମିଡିଆରେ ୧୫ ଫେବ୍ରୁଆରୀ ୨୦୨୫ର ଏକ ପୋଷ୍ଟ ଦେଖିବାକୁ ପାଇଥିଲୁ । ଦିଲ୍ଲୀ ଅଘଟଣରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ ରେଳମନ୍ତ୍ରୀ ।
ଏନେଇ କୌଣସି ଗଣମାଧ୍ୟମରେ ଭିଡିଓ ପ୍ରତିକ୍ରିୟା ଦେଖିବାକୁ ପାଇନଥିଲୁ । ହୁଏତ କୌଣସି ଖବରରେ ପ୍ରସାରିତ ହୋଇଥାଇପାରେ କିନ୍ତୁ ଆମର ହସ୍ତଗତ ହୋଇପାରିନାହିଁ ।
ଯେତେବେଳେ ଭାଇରାଲ ଭିଡିଓରେ କିଛି ଓଡ଼ିଶାର ଗଣମାଧ୍ୟମଙ୍କ ବୁମ୍ ଦେଖିବାକୁ ପାଇଥିଲୁ । ସମ୍ପୃକ୍ତ ଗଣମାଧ୍ୟମର ଦିଲ୍ଲୀ ପ୍ରତିନିଧିଙ୍କୁ ଯୋଗାଯୋଗ କରିବାରୁ ସିଏ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ । ଦିଲ୍ଲୀ ରେଳଷ୍ଟେସନରେ ଅଘଟଣକୁ ନେଇ ଏଭଳି କୌଣସି ପ୍ରତିକ୍ରିୟା ମନ୍ତ୍ରୀ ଦେଇନଥିବା ସାମ୍ବାଦିକ ଜଣଙ୍କ ସୂଚନା ଦେଇଥିଲେ ।
ଅଧିକ ତଦନ୍ତ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଓଡ଼ିଶାର ପ୍ରମୂଖ ଡିଜିଟାଲ ଗଣମାଧ୍ୟମ ଓଡ଼ିଶା ରିପୋର୍ଟରର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଭିଡିଓଟି ୫ ଜୁନ୍ ୨୦୨୫ରେ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି ।
ଉକ୍ତ ଭିଡିଓଟି ଭାଇରାଲ ଭିଡିଓ ସଦୃଶ ହୋଇଥିବାରୁ ଏହାକୁ ତୁଳନା କରିବାରୁ ଉଭୟ ଭିଡିଓ ସମାନ ବୋଲି ଦେଖିବାକୁ ପାଇଥିଲୁ ।
ଓଡ଼ିଶା ରିପୋର୍ଟର ଉକ୍ତ ଭିଡିଓ ଅପଲୋଡ଼ କରି ଶୀର୍ଷକରେ ଉଲ୍ଲେଖ କରିଛି, ବାଲେଶ୍ୱର ଟ୍ରେନ ଦୁର୍ଘଟଣା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା ।
ତେଣୁ ଉକ୍ତ କିୱାର୍ଡ ଗୁଡିକୁ ବ୍ୟବହାର କରି ଆମେ ଯେତେବେଳେ ସନ୍ଧାନ କରିଥିଲୁ ବିଭିନ୍ନ ଗଣମାଧ୍ୟମର ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ ।
ବିସ୍ତୃତ ଖବର ପ୍ରସାରଣ କରି ଓଡ଼ିଶା ରିପୋର୍ଟର ଉଲ୍ଲେଖ କରିଛି, ଭାବବିହ୍ୱଳ ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଖୋଜ ବ୍ୟକ୍ତିଙ୍କୁ ଖୋଜି ଠାବ କରିବା ତଥା ସେମାନଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆମର ବଡ଼ ଦାୟିତ୍ୱ, ଭାବବିହ୍ୱଳ କଣ୍ଠରେ ଏଭଳି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି ସରିଥିବାରୁ ରେଳବାହୀ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ୱିନୀ ବୈଷ୍ଣବ। ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସଫଳ ହୋଇପାରିଲା ବୋଲି ସେ କହିଛନ୍ତି।
ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭାଇରାଲ ଭିଡିଓଟି ବାଲେଶ୍ୱର ଜିଲ୍ଲାର ବାହାନଗା ଟ୍ରେନ ଦୁର୍ଘଟଣାର ପ୍ରତିକ୍ରିୟା ଭିଡିଓ । ପ୍ରତିକ୍ରିୟା ଦେବା ସମୟରେ ରେଳମନ୍ତ୍ରୀ ଏଭଳି ଭାବବିହ୍ଵଳ ହୋଇପଡ଼ିଥିଲେ । ଉକ୍ତ ଭିଡିଓର ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଅଘଟଣ ସହ ନାହିଁ କୌଣସି ସମର୍କ ।