Fact Check: ଭାଷଣ ଦେଉଥିବା ମଧ୍ୟରେ ସଭାକୁ ଆସିଥିବା ଲୋକଙ୍କ ଖାଇବା କଥା ପଚାରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ମୁଳ ଭିଡିଓରୁ କିଛି ଅଂଶ କୁ ଏଡିଟ୍ କରି ସୋସିଆଲ ମିଡିଆରେ ଭୁଲ୍ ଲେଖା ସହ ସେୟାର କରାଯାଇଛି । ମୁଳ ଭିଡିଓରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଭା ସ୍ଥଳକୁ ଆସିଥିବା ଲୋକଙ୍କ ଖାଇବା କଥା ବୁଝିଥିଲେ ।;

Update: 2025-01-11 08:48 GMT

 Odisha Chief Minister is actually Inquires About Food Arrangements for Meeting Attendees


ଓଡ଼ିଶାରେ ଚାଲିଛି ମୋହନ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେପରେ ଲୋକଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିଜେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶପଥ ଗ୍ରହଣର କିଛି ସମୟପରେ ରାଜ୍ୟ ସାମ୍ବାଦିକଙ୍କ ପାଇଁ ବନ୍ଦ୍ ଥିବା ସଚିବାଳୟ ତଥା ଲୋକସେବା ଭଵନକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ସେହିପରି କେନ୍ଦୁଝରରେ ଥିବା ନିଜ ଘରକୁ ଅଭିଯୋଗ ପ୍ରକୋଷ୍ଠ ଘୋଷଣା କରିଛନ୍ତି । କେତେବେଳେ କେନ୍ଦୁଝର ଗସ୍ତ ସମୟରେ ଲୋକଙ୍କ ଗହଣରେ ଢୋଲ ବଜାଇବା ତ କେତେବେଳେ ଅଭିଯୋଗ କରିବାକୁ ଆସିଥିବା ଶିକ୍ଷକଙ୍କୁ ପାଣି ପିଆଇବା ଏଭଳିକିଛି କାର୍ଯ୍ୟପରେ ଲୋକଙ୍କ ମୁଖ୍ୟମନ୍ତ୍ରୀର ଆକ୍ଷା ପାଇଛନ୍ତି ମୋହନ ।

ଇତିମଧ୍ୟରେ ଏକ ୧୨ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ସଭାସ୍ଥଳରେ ଜନସାଧାରଣଙ୍କୁ ଉଦବୋଧନ ଦେଉଥିବାର ଦେଖାଯାଇଛି । ଭାଇରାଲ ଭିଡିଓରେ ଉଦବୋଧନ ଦେଉଦେଉ ଅଧାରୁ ଅଟକିଯାଇଥିଲେ ଏବଂ ପଛକୁ ଅନାଇ କିଛି ପଚାରିଥିଲେ । ସେସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ପ୍ରଶାସନ ଅଧିକାରୀ ଉଠି ଆସିଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ ଖାଇବା ହୋଇଛି କି ନାହିଁ ପଚାରିଥିଲେ ।

ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ୟୁଜର୍ସ ଦାବି କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଖାଇବା ଚିନ୍ତା, ସଭାସ୍ଥଳରେ ଖାଇବା କଥା ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଜଣେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଲେଖିଛନ୍ତି, ଏହି ବ୍ୟକ୍ତି ଜଣଙ୍କ ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ୟେ ଷ୍ଟେଜ ଉପରେ ଖାଇବା ଚିନ୍ତା କରୁଛନ୍ତି ମାନେ ଭାବନ୍ତୁ କେତେ ଲୁଟିକି ଖାଉନଥିବେ ।

ସେହିଭଳି ଏକ ୟୁଟ୍ୟୁବ ଚ୍ୟାନେଲ ଉକ୍ତ ଭିଡିଓକୁ ଅପଲୋଡ଼ କରି ଶିର୍ଷକରେ ଉଲ୍ଲେଖ କରିଛି, ମିଟିଙ୍ଗ ବେଳେ ଖାଇବା କଥା ପଚାରିଲେ ମୁଖ୍ୟମନ୍ତ୍ରୀ, ମିଟିଙ୍ଗ ବେଳେ ଇଟିଙ୍ଗ କଥା ।

ଉଭୟଙ୍କ ସ୍କ୍ରିନସଟ ତଳେ ଉପଲବ୍ଧ ରହିଛି I   


ସତ୍ୟାସତ୍ୟ:

ଭିଡିଓକୁ ଏଡିଟ୍ କରି ଭାଇରାଲ କରାଯାଇଛି, ମୁଳ ଭିଡିଓରେ ମୁଖ୍ୟମନ୍ତ୍ରୀ ନିଜ ଖାଇବା କଥା ନୁହେଁ ଲୋକଙ୍କ ଖାଇବା କଥା ପଚାରୁଥିବାର ଶୁଣିବାକୁ ମିଳିଛି ।

କାର୍ଯ୍ୟକ୍ରମଟି ଏକ ସରକାରୀ କାର୍ଯ୍ୟକ୍ରମ ଭଳି ଦେଖାଯାଉଥିବା ବେଳେ, ତଦନ୍ତ କରିବାକୁ ଯାଇ ଆମେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆକୁ ଅନୁଧ୍ୟାନ କରିବାରୁ ଏକ ପୋଷ୍ଟ ଦେଖିବାକୁ ପାଇଥିଲୁ ।

ପୋଷ୍ଟରେ ଉଲ୍ଲେଖ ରହିଛି, କୃଷକମାନେ ହେଉଛନ୍ତି ରାଜ୍ୟ ବିକାଶର ମୂଳ ସୂତ୍ରଧର। କୃଷକମାନେ ସମୃଦ୍ଧ ହେଲେ, ଓଡ଼ିଶା ସମୃଦ୍ଧ ହେବ। ତେଣୁ, କୃଷି ଓ କୃଷକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା କରୁଛନ୍ତି।ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୫ ଉଦଯାପନୀ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟରେ ଜଳସେଚନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଜଳସେଚନ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେବାସହ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । 

ଭାଇରାଲ ଭିଡିଓରେ ମୁଖ୍ୟମନ୍ତ୍ରୀ ଯେଉଁ ପୋଷାକ ପିନ୍ଧିଛନ୍ତି ଉକ୍ତ ପୋଷ୍ଟରେ ମଧ୍ୟ ସମାନ ପୋଷାକ ପିନ୍ଧିଛନ୍ତି । ସେହିପରି ଉକ୍ତ ବରିଷ୍ଠ ପ୍ରଶାସନ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ତେଣୁ ଉକ୍ତ ପୋଷ୍ଟଟି ଭାଇରାଲ ହେଉଥିବା ଭିଡିଓର କାର୍ଯ୍ୟକ୍ରମ ହୋଇଥାଇପାରେ ।

ଯେତେବେଳେ ଆମେ ଭାଇରାଲ ଭିଡିଓର ଏକ ଅଂଶ ସହ ଉକ୍ତ ଫଟୋକୁ ତୁଳନା କରିଥିଲୁ ପୋଷାକ ନେଇ ବହୁ ସମାନତା ଦେଖିବାକୁ ପାଇଥିଲୁ ।


ଏଥିରୁ ଜଣାଯାଏ ଯେ, ଦୁଇଟି ଯାକ ପୋଷ୍ଟର କାର୍ଯ୍ୟକ୍ରମ ଗୋଟିଏ । ଅଧିକ ତଦନ୍ତ କରିବାକୁ ଯାଇ ଉକ୍ତ ପୋଷ୍ଟରେ ଥିବା ଲେଖା ଗୁଡିକୁ ବ୍ୟବହାର କରି ଅନୁସନ୍ଧାନ କରିଥିଲୁ ।

ଅନୁସନ୍ଧାନରୁ ସୂଚନା ଲୋକସମ୍ପର୍କ ବିଭାଗର ଟ୍ୱିଟର ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏକ ଲାଇଭ ଭିଡିଓ ଅପଲୋଡ଼ ହୋଇଥିବାର ଦେଖିବାକୁ ପାଇଥିଲୁ । ଯାହାର ଶୀର୍ଷକ ଥିଲା ପାଣି ପଞ୍ଚାୟତ ପକ୍ଷ ଉଦଯାପନ ସମାରୋହ, ୫ ଜାନୁଆରୀ ୨୦୨୫ । 


Full View

ଉକ୍ତ ଭିଡିଓକୁ ଅନୁଧ୍ୟାନ କରିବାରୁ ୫୬ ମି ୧୩ ସେକଣ୍ଡରେ ଭାଇରାଲ ଭିଡିଓର ଅଂଶ ପାଇଥିଲୁ । 

୫୬ ମି ୧୩ ସେକଣ୍ଡରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଅଟକିଯାଇଥିଲେ ଏବଂ ପଛକୁ ଅନାଇ ପଚାରିଥିଲେ ଖାଇବା ବ୍ୟବସ୍ଥା ହୋଇଗଲାଣି କି ?

ଉକ୍ତ ଅଂଶକୁ ଦେଖି ଜାଣିବାକୁ ପାଇଲୁ ଏହା ହେଉଛି ଭାଇରାଲ ଭିଡିଓର ଅଂଶ । ଉକ୍ତ ଭିଡିଓଟିକୁ ସୋସିଆଲ ମିଡିଆରେ ଲେଖା ସହ ସେୟାର କରାଯାଇଛି । 

Full View

ଉକ୍ତ ଟାଇମଷ୍ଟାମ୍ପ ପରେପରେ ଅନ୍ୟୁନ୍ୟ ୫୬. ମି ୨୦ ସେକେଣ୍ଡ ପାଖାପାଖି ସେଠାରେ ଉପସ୍ଥିତ ଥିବା ବରିଷ୍ଠ ପ୍ରଶାସନ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଣି ପଚାରିଥିଲେ ଖାଇବା ବ୍ୟବସ୍ଥା କିଛି ହୋଇଛି କି ? ଅଧିକାରୀ ଜଣଙ୍କ ହଁ ବୋଲି ଉତ୍ତର ଦେଇଥିଲେ ।

ପୁନଶ୍ଚ ୫୬ମି ୨୩ସେ ରେ ମୁଖ୍ୟମନ୍ତ୍ରୀ ପୁଣି ପଚାରିଛନ୍ତି ଏବେ ଦେଲେଣି କି ? ଉତ୍ତର ଦେବାକୁ ଯାଇ ନାହିଁ ବୋଲି ଅଧିକାରୀ ଜଣଙ୍କ କହିଥିଲେ । ୫୬ମି ୨୫ସେକେଣ୍ଡରେ ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଲୋକମାନେ ପଳେଇଲେଣି । 


Full View

ତେଣୁ ଏଥିରୁ ଜଣାଯାଏ ଯେ ,ମୁଖ୍ୟମନ୍ତ୍ରୀ ନିଜର ନୁହେଁ ସଭାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ଖାଇବା କଥା ପଚାରିଥିଲେ ।

ବିଜେପି ନେତା ହର୍ଷବର୍ଦ୍ଧନ ସିଂହଦେଓଙ୍କୁ ଯୋଗାଯୋଗ କରିବାରୁ, ଏହାକୁ ଏକ ସୁନ୍ଦର ଚିନ୍ତାଧାରା ବୋଲି କହିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ସମାରୋହ ମଧ୍ୟରେ ଠିଆ ହୋଇ ସେଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କ କଥା ବୁଝିବା କଥାଟି ଦେଖନ୍ତୁ କେତେ ପ୍ରଶସ୍ତ ଚିନ୍ତାଧାରା । ଏଭଳି ଘଟଣା ପ୍ରମାଣିତ କରୁଛି ୟେ ହେଉଛନ୍ତି ପ୍ରକୃତରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ।

ସେହିପରି ଉକ୍ତ ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, ସଭା ସରୁ ସରୁ ଲୋକ ଖାଇକି ଯାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଖାଇବା କଥା ବୁଝୁଥିଲେ, ଟିକେ ଭଲ କରି ଶୁଣନ୍ତୁ । ଭିଡିଓ ଅଧା ଦେଖେଇ କି ଶସ୍ତା ରାଜନୀତି କରୁଛି ବିଜେଡି ? ଯଦି ବି ଖାଇବା କଥା ପଚାରିଲେ କଣ ଟା ଭାସିଗଲା ? ଅନ୍ୟଙ୍କ ଭଳି ଖଣି ପାଣି ତ ଖାଉ ନାହଁନ୍ତି।

ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ବି ଯେତେବେଳେ ଅଧା ଅଧୁରା ଭିଡିଓ ଦେଖିଲି, ମୋତେ ବି ଟିକେ କେମିତି ଲାଗିଥିଲା..! ହେଲେ ଯେତେବେଳେ ପୁରା ଭିଡିଓ ଦେଖିଲି, ସତରେ ତ...! ମୁଖ୍ୟମନ୍ତ୍ରୀ କିଛି ଭୁଲ୍ କରିନାହାନ୍ତି କି କହିନାହାନ୍ତି.....! ସେ ପଚାରୁଛନ୍ତି" ଖାଇବା ବ୍ୟବସ୍ଥା ହେଲାଣି ନା ନାଇ ? ଲୋକେ ସେମିତି ପଳାଉଛନ୍ତି, ଖାଇକି ଯିବେ !" ଏଠି ଭୁଲ୍ ରହିଲା କୋଉଠି ?? କିଛି ଇନଷ୍ଟାଗ୍ରାମ ପେଜ୍ ଭିଡିଓ ଟିକୁ ଅପଲୋଡ଼ କରି ଟ୍ରଲ କରୁଛନ୍ତି | ଭିଡିଓ ଟିକୁ ପୁରା ଦେଖି ନିଜର ମନ୍ତବ୍ୟ ଦେବେ |

( ବି. ଦ୍ର : ମୁଁ କୌଣସି ରାଜନୀତି ଦଳର ନୁହେଁ.. କେବଳ ସାଧାରଣ ଜନତା | କୋଉଁ ଦଳ ସହିତ ମୋତେ ନ ଯୋଡିବାକୁ ଅନୁରୋଧ 🙏 )

ଉଭୟ ୟୁଜର୍ସ ନିଜର ମତାମତ ଦେବାକୁ ଯାଇ ଉକ୍ତ ଭିଡିଓକୁ ସେୟାର କରିଥିବା ବେଳେ, ମୁଳ ଭିଡିଓକୁ ଏଡିଟ୍ କରାଯାଇ ସେଥିରୁ କିଛି ଅଂଶକୁ ଭୁଲ୍ କ୍ୟାପସନ ସହ ସେୟାର କରାଯାଥିବାର ଦର୍ଶାଇଛନ୍ତି ।

ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ ମୁଳ ଭିଡିଓରୁ କିଛି ଅଂଶ କୁ ଏଡିଟ୍ କରି ସୋସିଆଲ ମିଡିଆରେ ଭୁଲ୍ ଲେଖା ସହ ସେୟାର କରାଯାଇଛି । ମୁଳ ଭିଡିଓରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଭା ସ୍ଥଳକୁ ଆସିଥିବା ଲୋକଙ୍କ ଖାଇବା କଥା ବୁଝିଥିଲେ ।


Claim :  ନିଜେ ଭାଷଣ ଦେଉଥିବା ମଧ୍ୟରେ ନିଜ ଖାଇବା ବ୍ୟବସ୍ଥା ହୋଇଛି କି ନାହିଁ ପଚାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ
Claimed By :  Social Media Users
Fact Check :  Misleading
Tags:    

Similar News