ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ଭିଡିଓରେ କୌଣସି ସତ୍ୟତା ନଥିବା କହିଛନ୍ତି ବରିଷ୍ଠ ଡାକ୍ତର
ଏଭଳି କୌଣସି ଉପଚାର ଦ୍ୱାରା ଷ୍ଟୋନ ବା ପଥର ରୋଗର ଚିକିତ୍ସା କରାଯାଇପାରେ ନାହିଁ । ବରିଷ୍ଠ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି କୌଣସି ଉପାୟ ମେଡ଼ିକାଲ ସାଇନ୍ସରେ ଉପଲବ୍ଧ ନାହିଁ । ତେଣୁ ଭାଇରାଲ ହେଉଥିବା ଭିଡିଓଟି ଫେକ୍ ହୋଇଥାଇ ପାରେ ।;

Senior doctor dismisses viral video as false
ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟ ପ୍ରତି ଅସାବଧାନତା ଯୋଗୁଁ ଲୋକମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜିକା ସମୟରେ, କିଡନୀ ଷ୍ଟୋନ ମଧ୍ୟ ଏକ ସାଧାରଣ ରୋଗ ହୋଇଥିବାର ଦେଖାଗଲାଣି । ଶରୀରରେ ଏହି ସମସ୍ୟା ଦେଖାଦେଲେ ଏହାର ଯନ୍ତ୍ରଣା ଅସହ୍ୟ ହୋଇପାରେ ।
କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ରକ୍ତ ସଫା କରିବା ଏବଂ ପରିସ୍ରା ଉତ୍ପାଦନ କରିବା ହେଉଛି ଏହାର କାମ । ଏହା ବ୍ୟତୀତ, ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ କାମ କରେ । କିନ୍ତୁ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାରି ନ ଥାଏ, ସେତେବେଳେ ଏଗୁଡ଼ିକ ଧିରେ ଧିରେ ଜମା ହୋଇ ଷ୍ଟୋନ ବା ପଥରର ରୂପ ନେଇଥାଏ । ଯଦି ସଠିକ ସମୟ ମଧ୍ୟରେ ଏହାର ଚିକିତ୍ସା କରା ନ ଯାଏ, ତେବେ ଏହି ସାଧାରଣ ସମସ୍ୟା କିଡନୀକୁ କ୍ଷତି ପହଞ୍ଚାଇ ଅକାମୀ କରିପାରେ ।
ତେବେ ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ଜଣେ ବ୍ୟକ୍ତି ଆଉଜଣେ ବ୍ୟକ୍ତିଙ୍କ ପେଟରୁ ଷ୍ଟୋନ ବାହାର କରୁଛନ୍ତି । ତାହାଫୁଣି ବିନା କୌଣସି ଔଷଧ ଏବଂ ବିନା କୌଣସି ଅସ୍ତ୍ରୋପଚାର ଦ୍ୱାରା ।
ଉକ୍ତ ବ୍ୟକ୍ତି ଜଣଙ୍କ ଦୀର୍ଘବର୍ଷ ଧରି ଏଭଳି ସେବା ଯୋଗାଇ ଆସୁଥିବା ଭିଡିଓରେ ଦାବି କରିଛନ୍ତି । ହାତ ସାହାଯ୍ୟରେ ରୋଗୀର ପେଟରୁ ଏକାଧିକ ଷ୍ଟୋନ ବାହାରୁଥିବାର ଦେଖିବାକୁ ମିଳିଛି । ସେହିପରି ରୋଗୀ ମଧ୍ୟ ଷ୍ଟୋନ ବାହାରି ଗଲାପରେ ଉପସମ ଅନୁଭବ କରିଥିବା କହିଛନ୍ତି । ଯଦି କୌଣସି ବ୍ୟକ୍ତି ଷ୍ଟୋନ ଯୋଗୁଁ ଅସୁବିଧା ଭୋଗୁଛନ୍ତି ତେବେ ଯୋଗାଯୋଗ ନମ୍ବର ଦେଲେ ସିଏ ଯୋଗାଯୋଗ କରିବେ ବୋଲି ଭିଡିଓ ରେ ବାର୍ତ୍ତାଦେଇଛନ୍ତି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ ବିନା ଅସ୍ତ୍ରୋପଚାରରେ ମଧ୍ୟ ଷ୍ଟୋନ ଭଲ ହୋଇପାରିବ ହେଲେ ଭାଇରାଲ ଭିଡିଓ ସେହି ଉପଚାର ନୁହେଁ । ସେହିପରି ଏଭଳି କୌଣସି ଉପଚାର ମେଡ଼ିକାଲ ସାଇନ୍ସରେ ଉପଲବ୍ଧ ନଥିବା କହିଛନ୍ତି ବରିଷ୍ଠ ଡାକ୍ତର ।
ଭାଇରାଲ ଭିଡିଓଟି ରଚନାତ୍ମକ ହୋଇଥାଇ ପାରେ ତେଣୁ ଏହାର ଶୀର୍ଷକ ଦେଖିଥିଲୁ ହେଲେ, ଏହା ବ୍ୟଙ୍ଗାତ୍ମକ କିମ୍ବା ରଚନାତ୍ମକ ବୋଲି କୌଣସି ସ୍ଥାନରେ ଉଲ୍ଲେଖ ନଥିଲା । ସେହିପରି ଭିଡିଓରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣଙ୍କ ଏହି ଉପାୟରେ ଉପଶମ ପ୍ରଦାନ କରୁଛନ୍ତି ବୋଲି ଦାବି ରଖିଛନ୍ତି ।
ବିନା ଅସ୍ତ୍ରୋପଚାର ଦ୍ୱାରା ଷ୍ଟୋନ ବାହାର କରିବା ନେଇ ଅନୁସନ୍ଧାନ କରିବାରୁ, ନ୍ୟୁଜ୨୪ରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ୩୧ ଅକ୍ଟୋବର ୨୦୧୮ରେ ଉକ୍ତ ଭିଡିଓ ଟି ପ୍ରସାରିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ରୁ ଉର୍ଦ୍ଧ୍ବ ଭିୟୁ ମିଳିପାରିଛି ।
ଠିକ୍ ଭାଇରାଲ ଭିଡିଓ ଭଳି ଜଣେ ମହିଳା ଏଭଳି ଉପାୟରେ ଷ୍ଟୋନ କାଢୁଥିବାର ଖବର ପ୍ରସାରିତ ହୋଇଥିବା ବେଳେ, ଉକ୍ତ ମହିଳାଜଣଙ୍କ ଲୋକଙ୍କୁ ଠକୁଥିବା କହିଛନ୍ତି ସେଠାକୁ ଆସିଥିବା ରୋଗୀ ।
କିଛି ରୋଗୀଙ୍କ କହିବା ଅନୁଯାୟୀ, ସେଠାରୁ ଫେରିବା ପରେ ମଧ୍ୟ ପଥର ବାହାରି ନଥାଏ । କିଛି ଲୋକ ମାନସିକ ଭାବେ ଥାଆନ୍ତି ଠିକ୍ ହୋଇଗଲେ ହେଲେ କିଛିଦିନ ପରେ ପୁଣି କଷ୍ଟ ଅନୁଭଵ କରିଥାନ୍ତି । ସେହିପରି ଜଣେ ମହିଳା କହିଛନ୍ତି, ଆମେ ସେଠାରୁ ଆସିବା ପରେ ପୁଣି ଏକ୍ସରେ କରାଇଥିଲୁ ହେଲେ କୌଣସି ଲାଭ ହୋଇନାହିଁ ପଥର ଯୋଉଠି ଯେମିତିଥିଲା ସେମିତି ଅଛି ।
ଏନେଚଏସ ରେ ପ୍ରକାଶିତ ଏକ ପ୍ରବନ୍ଧ ଅନୁଯାୟୀ, ଅସ୍ତ୍ରୋପଚାର ବିନା ଖାଲି ହାତରେ କିଡନୀ ପଥରକୁ ବାହାର କରାଯାଇପାରିବ ନାହିଁ । ତଥାପି, ଅନେକ ଛୋଟ ପଥର ସ୍ୱାଭାବିକ ଭାବରେ ଅସ୍ତ୍ରୋପଚାର ବିନା ପରିସ୍ରା ମାଧ୍ୟମରେ ବାହାରକୁ ଯାଇପାରେ । ୟୁକେର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଅନୁଯାୟୀ, ଅଧିକାଂଶ ବୃକକ୍ ପଥର ଆପଣଙ୍କ ପରିସ୍ରା ମାଧ୍ୟମରେ ବାହାରକୁ ବାହାରିବା ପାଇଁ ଯଥେଷ୍ଟ ଛୋଟ ଏବଂ ସମ୍ଭବତଃ ଘରେ ଚିକିତ୍ସା କରାଯାଇପାରିବ। ପ୍ରାକୃତିକ ଭାବରେ ବାହାରକୁ ଯାଇପାରୁନଥିବା ବଡ଼ ପଥର ପାଇଁ, ସକ୍ ୱେଭ୍ ଲିଥୋଟ୍ରିପ୍ସି (SWL), ୟୁରେଟୋସ୍କୋପି, କିମ୍ବା ପର୍କ୍ୟୁଟେନିୟସ୍ ନେଫ୍ରୋଲିଥୋଟୋମି (PCNL) ଭଳି ଚିକିତ୍ସା ପ୍ରକ୍ରିୟା ଆବଶ୍ୟକ ହୋଇପାରେ । NHS ଉଲ୍ଲେଖ କରେ ଯେ ଯଦି ଆପଣଙ୍କର କିଡନୀ ପଥର ପ୍ରାକୃତିକ ଭାବରେ ବାହାରକୁ ଯିବା ପାଇଁ ବହୁତ ବଡ଼, ତେବେ ସେଗୁଡ଼ିକୁ ସାଧାରଣତଃ ଅସ୍ତ୍ରୋପଚାର ଦ୍ୱାରା ବାହାର କରାଯାଏ ।
ଭାଇରାଲ ଭିଡିଓର ଅନୁସନ୍ଧାନ କରିବାକୁ ଯାଇ ଆମେ ଡାକ୍ତର ସ୍ୱସ୍ତିତୀର୍ଥ ପ୍ରୟାଗଙ୍କୁ ଯୋଗାଯୋଗ କରିଥିଲୁ । ସିଏ ଷ୍ଟୋନ ହେବାର କାରଣ ସହ ଏହାର ଉପସମ ବିଷୟରେ ବିଶୃତ ଭାବେ ବୁଝାଇଥିଲେ । ତେବେ ଭିଡିଓରେ ଥିବା ଏଭଳି ଉପସମକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ ।
ଡାକ୍ତର ସ୍ୱସ୍ତିଙ୍କ କହିବା ଅନୁଯାୟୀ, ରକ୍ତ ସଫା କରିବା ଏବଂ ପରିସ୍ରା ଉତ୍ପାଦନ କରିବାରେ କିଡନୀ ସାହାଯ୍ୟ କରିଥିବା ବେଳେ ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ମଧ୍ୟ ଏହା ସହାୟ ହୋଇଥାଏ । ହେଲେ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାରି ନ ଥାଏ, ସେତେବେଳେ ଏଗୁଡ଼ିକ ଧିରେ ଧିରେ ଜମା ହୋଇ ଷ୍ଟୋନର ରୂପ ନେଇଥାଏ ।
ପରିସ୍ରାରେ ରକ୍ତ ପଡ଼ିବା, ପରିସ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା ଜଳାପୋଡ଼ା, ରଙ୍ଗହୀନ ପରିସ୍ରା ହେବା, ବାରମ୍ବାର ପରିସ୍ରା ଲାଗିବା, ପେଟ ଏବଂ ଆଖପାଖରେ ଯନ୍ତ୍ରଣା ହେବା, ବାରମ୍ବାର ବାନ୍ତି ଲାଗିବା ସହ ଜ୍ୱର ଏବଂ ଥଣ୍ଡା ଲାଗି ରହିବା ହେଉଛି ଷ୍ଟୋନ ହେବାର ଲକ୍ଷଣ । ଷ୍ଟୋନ ଲକ୍ଷଣ ଥିଲେ, ନିରାମିଷ ଖାଦ୍ୟ, ଥଣ୍ଡା ପାନିୟ, ଲୁଣ ଏବଂ ଭିଟାମିନ- ସି ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ । ଅନ୍ୟପଟେ ଶରୀରରେ ଷ୍ଟୋନ ଥିଲେ ପ୍ରଚୁର ପାଣି ପିଇବା ଆବଶ୍ୟକ ଦିନକୁ ପ୍ରାୟ ୧୦ ରୁ ୧୨ ଗ୍ଲାସ ପାଣି ପିଇବା ଆବଶ୍ୟକ ।ଯାହାଫଳରେ ଷ୍ଟୋନ ବାହାରକୁ ବାହାରି ଆସିବ । ଲେମ୍ବୁରସ ପିଇବା ଦ୍ୱାରା ଏହା ଷ୍ଟୋନର ଆକାରକୁ କମାଇବାରେ ସାହାଯ୍ୟ କରେ । ତେବେ ଷ୍ଟୋନର ଆକାର ଛୋଟ ଥିଲେ ଏଭଳି କିଛି ଉପାୟରେ ଏହା ବାହାର କରାଯାଇପାରେ । ଯଦି ଏହାର ଆକାର ବୃଦ୍ଧି ହୋଇଥାଏ କିମ୍ବା ରୋଗୀ ଯନ୍ତ୍ରଣା ସହି ନପାରେ ତେବେ ଅସ୍ତ୍ରୋପଚାର କରାଯାଇଥାଏ । ମେଡ଼ିକାଲ ସାଇନ୍ସ ବହୁ ଆଗକୁ ଗତି କଲାଣି ତେଣୁ, ପୂର୍ବ ଅପେକ୍ଷା ଲେଜର ଥେରାପି ବ୍ୟବହାର କରି ଅପରେଶନ କରି ହେଉଛି । ଯାହା ଦ୍ୱାରା ବିନା ଅସ୍ତ୍ରୋପଚାରରେ ମଧ୍ୟ ଷ୍ଟୋନ ଗୁଡିକ ବାହାରି ଆସିଥାଏ । କେତେକ ସ୍ଥାନରେ ଟ୍ୟୁବ ଯୋଗେ ଅସ୍ତ୍ରୋପଚାର କରାଯାଇଥାଏ ଯାହାଦ୍ୱାରା ରୋଗୀ ଶରୀରରେ ଏକ ଟ୍ୟୁବ ପ୍ରବେଶ କରାଇ ଷ୍ଟୋନକୁ ଛୋଟ ଖଣ୍ତରେ ପରିଣତ କରାଯାଏ ଏବଂ ପରେପରେ ଟ୍ୟୁବ ସାହାଯ୍ୟରେ ବାହାରକୁ କଢ଼ାଯାଏ ।ହେଲେ ଭାଇରାଲ ଭିଡିଓ ପରି କୌଣସି ଉପାୟ ମେଡ଼ିକାଲ ସାଇନ୍ସରେ ପଢ଼ାଯାଇନାହିଁ ବୋଲି କହିଛନ୍ତି ଡାକ୍ତର । ତେଣୁ ଏହା ଏକ ଫେକ୍ ଭିଡିଓ ବୋଲି କହିଛନ୍ତି ।
ସେହିପରି ଜଣେ ଆୟୁର୍ବେଦ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ୫ ଏମଏମ ର ଷ୍ଟୋନ ବିଭିନ୍ନ ଆୟୁର୍ବେଦ ଔଷଧ ଦ୍ୱାରା ଶରୀରରୁ ବାହାର କରାଯାଇଛି । ଆୟୁର୍ବେଦ ଔଷଧ ସେବନ କ୍ରମେ ପରିଶ୍ରା ଦ୍ୱାରା ଶରୀରରୁ ବାହାରି ଆସିଥାଏ । ପୂର୍ବରୁ ପତ୍ରଗଜାର ପତ୍ରକୁ ବାଟି ପିଆଉଥିଲୁ ହେଲେ ଏବେ ବିଭିନ୍ନ ଔଷଧର ବ୍ୟବହାର କ୍ରମେ ଶୀଘ୍ର ଉପସମ ମିଳିପାରୁଛି ।
ତାଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣଙ୍କ ଯଦି ଷ୍ଟୋନ ଗୁଡିକ ଚର୍ମରୁ କାଢୁଛନ୍ତି ତେବେ ନିଶ୍ଚିତ ରକ୍ତଶ୍ରାବ ହେଉଥାନ୍ତା, ହେଲେ ସେଠାରୁ ରକ୍ତ ବୁନ୍ଦାଟିଏ ମଧ୍ୟ ବାହାରୁ ନାହିଁ କିମ୍ବା ଶରୀରରେ କ୍ଷତଟିଏ ମଧ୍ୟ ହେଉନାହିଁ । ତେଣୁ ଭାଇରାଲ ଭିଡିଓଟି ସମ୍ପୂର୍ଣ୍ଣ ଫେକ୍ ଅଟେ ।
ତେଣୁ ଏଥିରୁ ଜଣାଯାଏ ଯେ, ଦାବିଟି ସମ୍ପୂର୍ଣ୍ଣ ଭୁଲ୍ । ଏଭଳି କୌଣସି ଉପଚାର ଦ୍ୱାରା ଷ୍ଟୋନ ବା ପଥର ରୋଗର ଚିକିତ୍ସା କରାଯାଇପାରେ ନାହିଁ । ବରିଷ୍ଠ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି କୌଣସି ଉପାୟ ମେଡ଼ିକାଲ ସାଇନ୍ସରେ ଉପଲବ୍ଧ ନାହିଁ । ତେଣୁ ଭାଇରାଲ ହେଉଥିବା ଭିଡିଓଟି ଫେକ୍ ହୋଇଥାଇ ପାରେ ।