ଫ୍ୟାକ୍ଟ ଚେକ୍: ବାଂଲାଦେଶରେ ଘଟିଥିବା ଘଟଣାକୁ ପଶ୍ଚିମ ବଙ୍ଗ ସହ ଯୋଡି କରାଯାଉଛି ଭାଇରାଲ
ମୋବାଇଲ ଚୋରି ଘଟଣାକୁ ନେଇ ଏଭଳି ଅଭାବନୀୟକାଣ୍ଡ ବାଂଲାଦେଶର ହବିବଗଞ୍ଜର ଏକ ଗ୍ରାମରେ ଘଟିଥିଲା । ଉକ୍ତ ଘଟଣା ସହ ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ ।;

The incident in Bangladesh is being falsely linked to West Bengal
ପ୍ରତ୍ୟେକ ଦିନ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛିନାକିଛି ଭିଡିଓ ଘୁରି ବୁଲୁଥିବାର ଦେଖିବାକୁ ମିଳିଥାଏ । ଭାଇରାଲ ଭିଡିଓ ଗୁଡିକ ବହୁ ସମୟରେ ବିଭ୍ରାନ୍ତିକରକ କିମ୍ବା ଭୁଲ୍ ଲେଖା ସହ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥାଏ । ବହୁ ସମୟରେ ୟୁଜର୍ସ ଉକ୍ତ ଭାଇରାଲ ଭିଡିଓକୁ ଅନୁଧ୍ୟାନ ନ କରି ସେୟାର କରୁଥିବାର ଦେଖିବାକୁ ମିଳିଥାଏ ।
ଠିକ୍ ସେହିପରି ୩୨ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଗୋଟିଏ ସ୍ଥାନରେ ନିଆଁ ଜଳୁଥିବା ବେଳେ ତାହା ପାର୍ଶ୍ଵରେ ଥିବା ଏକ ଖୁଣ୍ଟରେ ଜଣେ ବ୍ୟକ୍ତିକୁ ବାନ୍ଧି ଥିବାର ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତି ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ସେଠାରୁ ମୁକୁଳିବାକୁ ଚେଷ୍ଟା ଚଲାଇଛନ୍ତି । ସେଠାରେ ଆଉକିଛି ବ୍ୟକ୍ତି ଉପସ୍ଥିତ ଥିବା ବେଳେ, ଉକ୍ତ ବ୍ୟକ୍ତିକୁ ରକ୍ଷା କରିବା ପରିବର୍ତ୍ତେ ନିଜନିଜ ମୋବାଇଲରେ ଉକ୍ତ ଘଟଣାକୁ କଏଦ କରୁଛନ୍ତି । ସେହିପରି ଅପର ପାର୍ଶ୍ଵରେ ଥିବା ଆଉକିଛି ବ୍ୟକ୍ତି ଉକ୍ତ ଘଟଣାର ମଜାନେଉଛନ୍ତି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।

ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର ଅଟେ । ଭାଇରାଲ ହେଉଥିବା ଭିଡିଓଟି ବାଂଲାଦେଶରେ ଅଟେ, ଉକ୍ତ ଭିଡିଓ କିମ୍ବା ଘଟଣା ସହ ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ ।
ଉକ୍ତ ଘଟଣା ନେଇ ଅନୁସନ୍ଧାନ କରିବାରୁ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ କିମ୍ବା ପ୍ରକାଶିତ ହୋଇଥିବାର ପାଇନଥିଲୁ । ଯଦି ନିକଟରେ ଏଭଳି କୌଣସି ଘଟଣା ଘଟିଥାନ୍ତା ତେବେ ନିଶ୍ଚିତ କୌଣସି ନା କୌଣସି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥାନ୍ତା ।
ପଶ୍ଚିମବଙ୍ଗର ଜଣେ ସାମ୍ବାଦିକଙ୍କୁ ସୂଚନା ଅନୁଯାୟୀ, ଉକ୍ତ ଘଟଣାଟି ପଶ୍ଚିମବଙ୍ଗର ହୋଇଥାଇ ନପାରେ । କାରଣ ନିକଟ ଦିନରେ ଏଭଳି କୌଣସି ଘଟଣା ଘଟିଥିବାର ସୂଚନା ହସ୍ତଗତ ହୋଇ ନାହିଁ । ଘଟଣାଟି ପଶ୍ଚିମବଙ୍ଗର ହୋଇ ନଥିବ ନଚେତ ବହୁ ପୁରୁଣା ହୋଇଥାଇପାରେ ।
ସେହିପରି ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ବାଂଗଲାଦେଶ ନାମକ ଏକ ଫେସବୁକ ଆକାଉଣ୍ଟରେ ଚଳିତ ମାର୍ଚ୍ଚ୧୦ରେ ଉକ୍ତ ଭିଡିଓଟି ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି ।
ଯାହାର ଲିଙ୍କ ଏଠାରେ ଉପଲବ୍ଧ ରହିଛି । (ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ସେହିପରି ଆଉଜଣେ ଫେସବୁକ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଲେଖିଛନ୍ତି, ମୋବାଇଲ୍ ଚୋରି ଅଭିଯୋଗରେ ସ୍ଥାନୀୟ ଲୋକେ, ଗୋଟିଏ ବ୍ୟକ୍ତିକୁ ଜୋରଜବରଦସ୍ତି ଗଛରେ ବାନ୍ଧି ନିର୍ଯାତନା ଦେଉଛନ୍ତି ଏବଂ ପିଠିରେ ନିଆଁ ଲଗାଇ ଦେଉଛନ୍ତି । ଦେଶରେ ଆଇନ ଶୃଙ୍ଖଳା ଭଲ ଚାଲିଛି ।
ଯାହାର ଲିଙ୍କ ଏଠାରେ ଉପଲବ୍ଧ ରହିଛି । ( ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ଯେତେବେଳେ ଉକ୍ତ କିୱାର୍ଡ ଗୁଡିକୁ ବଙ୍ଗଳାରେ ଲେଖି ଆମେ ସର୍ଚ୍ଚ କରିଥିଲୁ ହବିବଗଞ୍ଜ ର ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ହସ୍ତଗତ ହୋଇଥିଲା ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୮ମାର୍ଚ୍ଚ ରେ, ଜାମୁନାବାଦ ଗ୍ରାମର ଏକ ଘରୁ ଦୁଇଟି ମୋବାଇଲ୍ ଫୋନ୍ ଚୋରି ହୋଇଥିଲା, ଯାହା ପରେ ସ୍ଥାନୀୟ ଲୋକମାନେ ପଡ଼ୋଶୀ ଗାଁର ବାସିନ୍ଦା ଶାହିଦୁଲଙ୍କୁ ଚୋରି ଅଭିଯୋଗରେ ଧରିଥିଲେ । ଗ୍ରାମବାସୀଙ୍କ ଠାରୁ ମାଡ଼ ଖାଇବା ପରେ, ସେ ଜାହେଦ ମିଆଁ ନାମକ ଜଣେ ସହଯୋଗୀଙ୍କ ନାଁ କହିଥିଲେ । ଜାହେଦଙ୍କୁ ବାନ୍ଧି ଗ୍ରାମବାସୀ ନିଆଁ ଲଗାଇ ଦେଇଥିଲେ । ପରେପରେ ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲକୁ ନିଆ ଯାଇଥିଲା ।
ଲେଖାଟିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଜାହେଦର ପୋଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଭିଡିଓର ବର୍ଣ୍ଣନା ଭାଇରାଲ କ୍ଲିପ୍ ସହିତ ପ୍ରାୟ ମେଳ ଖାଉଥିବାର ଦେଖିବାକୁ ମିଳିଛି ।
ତେବେ ଉକ୍ତ ଘଟଣାଟିର ଅନୁସନ୍ଧାନ କରିବାକୁ ଯାଇ, ବୁମ୍ ହବିବଗଞ୍ଜର ବାହୁବଲର ଜଣେ ପୋଲିସ୍ ଅଧିକାରୀଙ୍କୁ ପଚାରିବାରୁ ଉକ୍ତ ଭିଡିଓଟି ସମାନ ଘଟଣା ବୋଲି ସିଏ ଉତ୍ତର ରଖିଥିଲେ ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ମୋବାଇଲ ଚୋରି ଘଟଣାକୁ ନେଇ ଏଭଳି ଅଭାବନୀୟକାଣ୍ଡ ବାଂଲାଦେଶର ହବିବଗଞ୍ଜର ଏକ ଗ୍ରାମରେ ଘଟିଥିଲା । ଉକ୍ତ ଘଟଣା ସହ ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ ।