Fact Check: ଚାଷୀନେତା ରାକେଶ ଟିକାୟତଙ୍କ ଉପରକୁ ଆକ୍ରମଣର ୩ଟି ଭିଡିଓ ବହୁ ପୁରୁଣା
ଭାଇରାଲ ହେଉଥିବା ଭିଡିଓ ସହ ବର୍ତ୍ତମାନ ର ଚାଷୀ ଆନ୍ଦୋଳନର କୌଣସି ସଂଯୋଗ ନାହିଁ । ପ୍ରଥମ ଏବଂ ଦ୍ୱିତୀୟ ଭିଡିଓଟି ୨୦୨୨ମସିହାରେ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀର । ଯେଉଁଥିରେ ପ୍ରଥମେ ରାକେଶଙ୍କ ଉପରକୁ ମାଇକରେ ଆକ୍ରମଣ ହୋଇଥିଲା ପରେପରେ ସ୍ୟାହି ମାଡ଼ କରିଥିଲେ । ଅନ୍ୟପଟେ ତୃତୀୟ ଭିଡିଓଟି ୨୦୨୧ ମସିହାର ଯେତେବେଳେ ୟୁପି ସରକାର ଗାଜିପୁର ସୀମା ଖାଲି କରିବାକୁ ଚାଷୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାକେଶ କାନ୍ଦି କାନ୍ଦି ଚାଷୀଙ୍କ ସହ ପ୍ରତାରଣା ଚାଲିଛି ବୋଲି କହିଥିଲେ ।
ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ଜିଦ୍ରେ ଅଟଳ ଚାଷୀ । ହେଲେ ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ଶମ୍ଭୁ ବର୍ଡର, ଏଭଳି ଏକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପଞ୍ଜାବ ନିବାସୀ ଗୌରବ ଲୁଥେରାଙ୍କ ପକ୍ଷରୁ ଏହି ଆବେଦନ ହୋଇଥିଲା । ଅନ୍ୟପଟେ ଚାଷୀ ନେତା ରାକେଶ ଟିକାୟତ ଗିରଫ ହୋଇଛନ୍ତି । ରାକେଶ ଟିକାୟତଙ୍କୁ ପୁଲିସ ଯମୁନା ଏକ୍ସପ୍ରେସରୁ ଉଠାଇ ନେବାପରେ ତାଙ୍କୁ ଟପ୍ପଲ ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ ତାଙ୍କୁ କାହିଁକି ଗିରଫ କରାଯାଇଛି ତାହା ଜାଣିନାହାଁନ୍ତି ବୋଲି କହିଛନ୍ତି ରାକେଶ । ଯଦି କୃଷକଙ୍କ ସମସ୍ୟାର ସମାଧାନ ନହୁଏ ତେବେ ଟପ୍ପଲରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଟ୍ରାକ୍ଟର ମାର୍ଚ୍ଚ ହେବ ବୋଲି ଟିକାୟତ ଚେତାବନୀ ଦେଇଛନ୍ତି ।
ଇତିମଧ୍ୟରେ ତୋନୋଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଗୁଡିକ ଏକ କୋଲାଜ ଭିଡିଓ ପରି ଦୃଶ୍ୟମାନ ହେଉଥିବା ବେଳେ, ପ୍ରଥମ ଭିଡିଓ ରେ ଚାଷୀ ନେତା ରାକେଶ ଟିକାୟତ ଏବଂ କିଛି ବ୍ୟକ୍ତି ବସି ଉଦବୋଧନ ଦେଉଥିବାର ଦେଖିବାକୁ ମିଳିଛି । ସେହି ସମୟରେ ଆଉଜଣେ ବ୍ୟକ୍ତି ସାମ୍ନାରୁ ଆସି ରାକେଶଙ୍କୁ ଆକ୍ରମଣ କରିଛନ୍ତି, ଉକ୍ତ ଆକ୍ରମଣକାରୀଙ୍କୁ ଆୟତ୍ତ କରାଯାଉଥିବା ବେଳେ ଆଉଜଣେ ବ୍ୟକ୍ତି ଆସି ରାକେଶଙ୍କ ଉପରକୁ ସ୍ୟାହି ଫିଙ୍ଗୁଥିବାର ଦେଖିବାକୁ ମିଳିଛି ।
ସେହିପରି ଦ୍ଵିତୀୟ ଭିଡିଓରେ ଧସ୍ତାଧସ୍ତି ହେଉଥିବାର ଦୃଶ୍ୟ ରହିଛି । ଏବଂ ତୃତୀୟ ଭିଡିଓରେ ଚାଷୀ ନେତା ରାକେଶ ଟିକାୟତ କାନ୍ଦିକାନ୍ଦି କିଛି କହୁଥିବାର ଦେଖାଯାଇଛି ।
ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ବର୍ତ୍ତମାନର ଚାଷୀ ଆନ୍ଦୋଳନ ସହ ଯୋଡି ସେୟାର କରିଛନ୍ତି ୟୁଜର୍ସ ।
ଭିଡିଓ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, धुलाई ,पिटाई, ठुकाई , आंदोलनजीवी _ राकेश टिकैत ।
ଯାହାର ଆର୍କାଇଭ୍ ଲିଙ୍କ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଚାଷୀନେତା ରାକେଶ ଟିକାୟତଙ୍କ ଉପରକୁ ଆକ୍ରମଣ ହୋଇଥିବା ଏହି ଭିଡିଓଟି ବହୁ ପୁରୁଣା । ବର୍ତ୍ତମାନର ଚାଷୀ ଆନ୍ଦୋଳନ ସହ ନାହିଁ କୌଣସି ସଂଯୋଗ ।
ଅନୁସନ୍ଧାନ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ ରିପବ୍ଲିକ ୱାର୍ଲଡ଼ର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟି ମାଇକ ଆକ୍ରମଣ ଘଟଣାର ସିଡିଟିଭି ଫୁଟେଜ ପରି ଦୃଶ୍ୟମାନ ହୋଇଛି ।
ସେହିପରି ଉକ୍ତ ଭିଡିଓର ଆଉ ଏକ ଅଂଶକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ୩୦ ମଇ ୨୦୨୨ରେ ଅପଲୋଡ କରିଛି ହିନ୍ଦୁସ୍ଥାନ ଟାଇମ୍ସ । ଭିଡିଓ ଅପଲୋଡ କରି ହିନ୍ଦୁସ୍ଥାନ ଟାଇମ୍ସ ଉଲ୍ଲେଖ କରିଛି, ବେଙ୍ଗାଲୁରୁରେ ରାକେଶ ଟିକାୟତଙ୍କ ଉପରକୁ ଆକ୍ରମଣ ଏବଂ ସ୍ୟାହିମାଡ଼, ୩ ଜଣ ଅଟକ । ବିଜେପିକୁ ଦୋଷାରୋପ କଲେ ଚାଷୀ ନେତା ।
ତେଣୁ ଏଥିରୁ ଜଣାଯାଏଯେ ପ୍ରଥମ ଏବଂ ଦ୍ୱିତୀୟ ଭିଡିଓଟି ଗୋଟିଏ ଦିନ ଏବଂ ଗୋଟିଏ କାର୍ଯ୍ୟକ୍ରମର ଯାହାକି ୨୦୨୨ରେ ବେଙ୍ଗାଲୁରୁରେ ଘଟିଥିଲା ।
ଅଧିକ ଅନୁସନ୍ଧାନ କରିବାକୁ ଯାଇ ଉକ୍ତ କିୱାର୍ଡ ଗୁଡିକ ନେଇ ସର୍ଚ୍ଚ କରିବାରୁ, ଟାଇମ୍ସ ଅଫ ଇଣ୍ଡିଆ ଦ୍ୱାରା ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ୩୧ ମଇ ୨୦୨୨ରେ ଖବର ପ୍ରସାରଣ କରି ଟାଇମ୍ସ ଅଫ ଇଣ୍ଡିଆ ଉଲ୍ଲେଖ କରିଛି, ବେଙ୍ଗାଲୁରୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ରାକେଶଙ୍କ ଉପରକୁ ମାଇକରେ ଆକ୍ରମଣ ହୋଇଥିଲା ପରେପରେ ସ୍ୟାହି ମାଡ଼ ହୋଇଥିଲା ।
ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଦୁଇଟି ଘଟଣା ଗୋଟିଏ କାର୍ଯ୍ୟକ୍ରମର ଯାହାକି ୨୦୨୨ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ।
ସେହିପରି ତୃତୀୟ ଭିଡିଓକୁ ରିଭର୍ସ ଇମେଜରେ ସର୍ଚ୍ଚ କରିବାରୁ ୨୮ ଜାନୁଆରୀ ୨୦୨୧ରେ ଦ ଲଲନଟପ୍ ଉକ୍ତ ଭିଡିଓ କୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିଵାର ଦେଖିବାକୁ ମିଳିଛି । ୩ମି ୪୭ସେକେଣ୍ଡ ର ଉକ୍ତ ଭିଡିଓର ୫୩ ସେକେଣ୍ଡ ସମୟରେ ଭାଇରାଲ ଭିଡିଓର ଅଂଶ ଦେଖିବାକୁ ମିଳିଛି ।
ସେହିପରି ୨୯ ଜାନୁଆରୀ ୨୦୨୧ ରେ ଉକ୍ତ ଭିଡିଓ ଅପଲୋଡ କରି ଇଣ୍ଡିଆ ଟୁଡେ ଉଲ୍ଲେଖ କରିଛି, ମୋଡ଼ ନେଲା ଚାଷୀ ଆନ୍ଦୋଳନ, ଚାଷୀ ନେତା ରାକେଶ ଟିକାୟତଙ୍କ ଆଖିରେ ଲୁହ । ଗାଜିପୁର ଫେରିଲା ଜନସମୁଦ୍ର ।
ଅଧିକ ଅନୁସନ୍ଧାନ କରିବାରୁ ଇକୋନୋମିକ ଟାଇମ୍ସ ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ଉତ୍ତରପ୍ରଦେଶ ସରକାର ଚାଷୀଙ୍କୁ ଗାଜିପୁର ସୀମା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ସ୍ଥାନରୁ ଚାଷୀଙ୍କୁ ହଟାଇବାକୁ ପୋଲିସ ଚେଷ୍ଟା କରିଥିଲା। ବି.କେ.ୟୁ ମୁଖପାତ୍ର ରାକେଶ ଟିକାଇଟ କାନ୍ଦି କାନ୍ଦି କହିଛନ୍ତି ଯେ ଚାଷୀଙ୍କ ସହ ପ୍ରତାରଣା ଚାଲିଛି ଏବଂ ବିରୋଧ ଜାରି ରହିବ । ପ୍ରସାରିତ ଖବରରେ ରାକେଶଙ୍କ କାନ୍ଦିବା ଫଟୋ ମଧ୍ୟ ପ୍ରକାଶିତ ହୋଇଛି ।
ତେଣୁ ଏଥିରୁ ଜଣାଯାଏଯେ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଭାଇରାଲ ହେଉଥିବା ଭିଡିଓ ସହ ବର୍ତ୍ତମାନ ର ଚାଷୀ ଆନ୍ଦୋଳନର କୌଣସି ସଂଯୋଗ ନାହିଁ । ପ୍ରଥମ ଏବଂ ଦ୍ୱିତୀୟ ଭିଡିଓଟି ୨୦୨୨ମସିହାରେ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀର । ଯେଉଁଥିରେ ପ୍ରଥମେ ରାକେଶଙ୍କ ଉପରକୁ ମାଇକରେ ଆକ୍ରମଣ ହୋଇଥିଲା ପରେପରେ ସ୍ୟାହି ମାଡ଼ କରିଥିଲେ । ଅନ୍ୟପଟେ ତୃତୀୟ ଭିଡିଓଟି ୨୦୨୧ ମସିହାର ଯେତେବେଳେ ୟୁପି ସରକାର ଗାଜିପୁର ସୀମା ଖାଲି କରିବାକୁ ଚାଷୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାକେଶ କାନ୍ଦି କାନ୍ଦି ଚାଷୀଙ୍କ ସହ ପ୍ରତାରଣା ଚାଲିଛି ବୋଲି କହିଥିଲେ ।