ବାଂଲାଦେଶ ହିଂସାକାଣ୍ଡରେ ଜଳୁଥିବା ଘରଟି ନୁହେଁ କ୍ରିକେଟର ଲିଟୋନ ଦାସଙ୍କ ଘର

Update: 2024-08-06 09:52 GMT


ହିଂସାରେ ଜଳୁଛି ବାଂଲାଦେଶ, କିଏ ରାସ୍ତା ଉପରେ ବିକ୍ଷୋଭ କରୁଛି ତ କିଏ କାହା ଘର ଉପରକୁ ନିଆଁ ମାଡ଼ କରୁଛି ତ କେଉଁଠି କିଏ ପଥର ମାଡ଼ କରୁଛି ଏଭଳି ଅଣାୟତ ପରିସ୍ଥିତି ଉପୁଜିଛି ବାଂଲାଦେଶରେ। ବିକ୍ଷୋଭ ସ୍ଥିତି ଅସହ୍ୟ ହେବାରୁ ଇସ୍ତଫା ଦେଇ ଦେଶ ଛାଡ଼ି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପଳାୟନ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ।

ବାଂଲାଦେଶ ସଙ୍କଟକୁ ନେଇ ଭାରତରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାର ଦେଖା ଦେଇଛି । ଉକ୍ତ ବୈଠକରେ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିବାର ଜଣାଯାଇଛି । ବାଂଲାଦେଶ ସହିଂସାକାଣ୍ଡ ନେଇ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ହିଂସାକାଣ୍ଡ ନେଇ ବିଭିନ୍ନ ମହଲରେ ଭିନ୍ନ ପ୍ରକାରର ମତାମତ ମିଳୁଥିବା ବେଳେ, ହିଂସାକାଣ୍ଡ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି ବାଂଲାଦେଶର ଜଣାଶୁଣା ଲେଖିକା ତସଲିମା ନସରିନ। ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନସରିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେଉଁମାନଙ୍କୁ ଖୁସି କରିବା ପାଇଁ ଶେଖ ହସିନା ତାଙ୍କୁ ଦେଶରୁ ବାହାର କରିଥିଲେ, ଆଜି ସେମାନଙ୍କ ଯୋଗୁଁ ହସିନା ନିଜେ ଦେଶ ଛାଡ଼ିଛନ୍ତି। ଏଭଳି ସ୍ଥିତି ପାଇଁ ହସୀନା ନିଜେ ଦାୟୀ ବୋଲି ମତ ରଖିଛନ୍ତି ତସଲିମା ନସରିନ ।

ହସିନାଙ୍କ ପଳାୟନ ଖବର ବ୍ୟାପିବାପରେପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ବାସଭବନରେ ଧସେଇ ପଶିଥିଲେ ବିକ୍ଷୋଭକାରୀ । କିଏ ବେଡ଼ ଉପରେ ସୋଇଥିଲା ତ କିଏ ତାଙ୍କ ଡାଇନିଂ ରେ ବିରିୟାନି ଖାଉଥିଲା ଏଭଳିକିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅନେକ ସାମଗ୍ରୀ ମଧ୍ୟ କିଛି ଲୋକେ ବୋହି ନେଉଥିବାର ଦେଖାଯାଇଛି ।

ହିଂସାକାଣ୍ଡ ନେଇ ଖବର ଚାରିଆଡେ ବ୍ୟାପିଯାଇଥିବା ବେଳେ ଏହାର ଏକ ଭିନ୍ନ ରୂପ ସଚିବାଳୟରେ ଦେଖାଯାଇଥିଲା । ନିଜ ଜୀବନ ରକ୍ଷା ତଥା ପରିବାରଜନଙ୍କ ସୁରକ୍ଷା ପାଇଁ ବ୍ୟସ୍ତ ହୋଇ ସରକାରୀ ଅଧିକାରୀ ମାନେ ସଚିବାଳୟରୁ ବାହାରି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ଦିନ ୧୨.୩୦ ସୁଦ୍ଧା ରେଳବାଇ କର୍ମଚାରୀ ଅଫିସ୍ ଖାଲି କରିଦେଇଥିବା ମଧ୍ୟ ଖବର ପ୍ରକାଶ ପାଇଛି I 

ଅନ୍ୟପକ୍ଷରେ ଅନ୍ୟ ଦେଶ ଭଳି କ୍ୟାନେଡା ମଧ୍ୟ ବାଂଲାଦେଶରେ ଶାନ୍ତି ସ୍ଥାପନା ପାଇଁ ମତ ରଖିଛି । ବାଂଲାଦେଶ ର ବାସୀନ୍ଦାଙ୍କୁ ଶାନ୍ତି ସ୍ଥାପନା ପାଇଁ କହିଥିବା ବେଳେ ଅହିଂସା ଦ୍ୱାରା କୌଣସି ଦେଶର ଅଗ୍ରଗତି ହୋଇନାହିଁ ବୋଲି କ୍ୟାନେଡା ବୈଦେଶିକ ବ୍ୟାପାର ମନ୍ତ୍ରୀ ମେଲାନି ଯୋଲି ସୂଚନା ଦେଇଛନ୍ତି । 

ସୋସିଆଲ ମିଡିଆରେ ଏଭଳିପରିସ୍ଥିତି ରେ ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଫଟୋରେ ଏକ ଘର ଜଳୁଥିବାର ଦେଖାଯାଇଛି, ସୋସିଆଲ ମିଡିଆ ୟୁଜର୍ସ ଉକ୍ତ ଫଟୋ ଏବଂ ଭିଡିଓ ଗୁଡିକୁ ବାଂଲାଦେଶର ଜଣେ ଜଣାଶୁଣା କ୍ରିକେଟର ଲିଟୋନ ଦାସଙ୍କ ଘର ବୋଲି ଦାବି କରିଛନ୍ତି । ଲିଟୋନ ଜଣେ ହିନ୍ଦୁ ହୋଇଥିବାରୁ ବାଂଲାଦେଶ ହିଂସା ସମୟରେ ତାଙ୍କ ଘରକୁ ବିକ୍ଷୋଭକାରୀ ଜାଳିଦେଇଥିବା ଦାବି କରିଛନ୍ତି ୟୁଜର୍ସ ।

ସୋସିଆଲ ମିଡିଆରେ ଫଟୋ ସେୟାର କରି ୟୁଜର୍ସ ଲେଖିଛନ୍ତି "Bangladeshi Cricketer Liton Das's house was set on fire just because HE IS HINDU" .

ଯାହାକୁ ଅନୁବାଦ କରିବାରୁ ଜଣାଯାଏଯେ "ବାଂଲାଦେଶୀ କ୍ରିକେଟର ଲିଟନ ଦାସ ଙ୍କ ଘରକୁ ଜାଳିଦିଆଗଲା କାରଣ ସିଏ ଜଣେ ହିନ୍ଦୁ ଥିଲେ" ।


Full View


 

ତେବେ କେଵଳ ୟୁଜର୍ସ ନୁହଁନ୍ତି କିଛି ଗଣମାଧ୍ୟମ ମଧ୍ୟ ଏହି ଭିଡିଓ କୁ ଲିଟୋନ ଦାସ ଙ୍କ ଘର ବୋଲି ସୂଚନା ଦେଇ , ସୋସିଆଲ ମିଡିଆରେ ଖବର ପ୍ରସାରିତ କରିଛନ୍ତି ।

ସତ୍ୟାସତ୍ୟ: ଅନୁସନ୍ଧାନରୁ ଜଣାଯାଏଯେ ଦାବିରେ କୌଣସି ସତ୍ୟତା ନାହିଁ , ବାଂଲାଦେଶ ହିଂସାକାଣ୍ଡ ରେ ଜଳୁଥିବା ଘରଟି ଲିଟୋନ ଦାସଙ୍କର ନୁହେଁ ବରଂ ମଶାର୍ଫେ ମର୍ତଜାଙ୍କର ବୋଲି ଜଣାଯାଇଛି ।

ରିଭର୍ସ ଇମେଜ ସର୍ଚ୍ଚ ରୁ ଜଣାଯାଏଯେ ଡେଲି ଇଣ୍ଡଷ୍ଟ୍ରି ନାମକ ଏକ ଗଣମାଧ୍ୟମ ଏନେଇ ଏକ ଖବର ପ୍ରସାରଣ କରି ଲେଖିଛି "ଅପରାହ୍ନ ୫ଟା ସମୟରେ ବିକ୍ଷୋଭକାରୀ ମାନେ ମଶାର୍ଫେଙ୍କ ଘରେ ଅଗ୍ନିକାଣ୍ଡ ଘଟାଇଛନ୍ତି, ଯାହାକି ନାରାଇଲ-୨ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ" । ଅଗ୍ନିକାଣ୍ଡ କିଏ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଏହା ତଦନ୍ତ ପରିସରଭୁକ୍ତ ବୋଲି ଡେଲି ଇଣ୍ଡଷ୍ଟ୍ରି ଖବରରେ ଦର୍ଶାଇଛି ।

ସେହିପରି ୟୁଏନବି (ୟୁନାଇଟେଡ଼ ନ୍ୟୁଜ ଅଫ୍ ବାଂଲାଦେଶ) ନାମକ ଏକ ପୋର୍ଟାଲ ଏନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି "ମଶାର୍ଫେଙ୍କ ଘରେ ଭଙ୍ଗାରୁଜା କରିବା ପରେ କିଛି ବିକ୍ଷୋଭକାରୀ ତାଙ୍କ ଘରେ ଅଗ୍ନିକାଣ୍ଡ ଘଟାଇଛନ୍ତି, ଅଗ୍ନିକାଣ୍ଡ ରେ ଘରଟି ପ୍ରାୟ ଜଳିଯାଇଥିବାର ଦେଖାଯାଇଛି । ଜିଲ୍ଲାପରିଷଦର ଅଧ୍ୟକ୍ଷ ଓକିଲ ସୁବାସ ଚନ୍ଦ୍ର ବୋଷ୍ ଏବଂ ଜିଲ୍ଲା ଆୱାମି ଲିଗ୍ ର ଜେନେରାଲ ସେକ୍ରେଟାରୀ ନିଜାମଉଦ୍ଦିନ ଖାନ ନିଲୁଙ୍କ ଘରେ ମଧ୍ୟ ବିକ୍ଷୋଭକାରୀ ମାନେ ଅଗ୍ନିକାଣ୍ଡ ଘଟାଇଛନ୍ତି ।

ଦ ବିଜନେସ ଷ୍ଟାଣ୍ଡଆର୍ଡ ଏନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି ଯେ "ମଶାର୍ଫେଙ୍କ ଘରେ ଘଟିଥିବା ଅଗ୍ନିକାଣ୍ଡ କିଏ ଏବଂ କାହିଁକି ଘଟାଇଛି ତାହା ଆମେ ଜାଣିନାହୁଁ, ଆମେ ଆମ କର୍ମୀଙ୍କୁ ଶାନ୍ତ ରହିବାକୁ ଆବାହନ ଦେଇ ଆସିଛୁ" ବୋଲି ଜଣାଇଛନ୍ତି ଜିଲ୍ଲା ବି.ଏନ.ପି ଜେନେରାଲ ସେକ୍ରେଟାରୀ ଅଲ୍ହାଜ ମହମ୍ମଦ ମୋନିରୂଲ ଇସ୍ଲାଲାମ । 

ଉପରୋକ୍ତ ସମସ୍ତ ଗଣମାଧ୍ୟମରେ ପ୍ରସାରିତ ଖବରରେ ସମାନ ଫଟୋ ପ୍ରସାରିତ ହୋଇଛି, ଯାହାକି ଭାଇରାଲ ହେଉଥିବା ଫଟୋ ।


ତେଣୁ ଉପରୋକ୍ତ ଅନୁସନ୍ଧାନ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଖବରରୁ ଜଣାଯାଏଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅଗ୍ନିକାଣ୍ଡ ଘର ଟି ଲିଟୋନ ଦାସଙ୍କ ନୁହେଁ ତାହା ମଶାର୍ଫେ ମର୍ତଜାଙ୍କ ଘର ।


Claim :  ବାଂଲାଦେଶ ହିଂସାକାଣ୍ଡରେ ଜଳିଲା କ୍ରିକେଟର ଲିଟୋନ ଦାସଙ୍କ ଘର
Claimed By :  Social Media Users
Fact Check :  False
Tags:    

Similar News