Fact Check: ମହାରାଷ୍ଟ୍ରର ଭୋଟରଙ୍କୁ ଗୁଜରାଟର ପ୍ରଗତିକୁ ସମର୍ଥନ କରିବାକୁ ଅନୁରୋଧ କରୁଥିବା ଫଟୋ ଏଡିଟ୍ କରାହୋଇଛି
ଭାଇରାଲ ହେଉଥିବା ପୋଷ୍ଟରଟି ଏଡିଟ୍ କରାଯାଇଛି, ଯେଉଁଥିରେ ମହାରାଷ୍ଟ୍ର ସ୍ଥାନରେ ଗୁଜରାଟ ଲେଖା ହୋଇଛି । ପ୍ରକୃତ ସ୍ଲୋଗାନ ହେଉଛି ମହାୟୁତି କୁ ଭୋଟ ଦିଅନ୍ତୁ ଏବଂ ମହାରାଷ୍ଟ୍ର ପ୍ରଗତିରେ ଅଂଶୀଦାର ହୁଅନ୍ତୁ ।
ବାଜିଛି ନିର୍ବାଚନ ବିଗୁଲ, ନିର୍ବାଚନ ପ୍ରଚାରରେ କମ୍ପୁଛି ମହାରାଷ୍ଟ୍ର ।ମହାରାଷ୍ଟ୍ର ନିର୍ବାଚନୀ ପ୍ରଚାରରେ ମହିଳାଙ୍କ ଉପରେ ଅପମାନଜନକ ଟିପ୍ପଣୀକୁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ନିନ୍ଦା କରିଛନ୍ତି। ଏପରି ଟିପ୍ପଣୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଇସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜୀବ କୁମାର ଶିବସେନା (ୟୁବିଟି) ନେତା ଅରବିନ୍ଦ ସାୱନ୍ତଙ୍କ ଦ୍ୱାରା ସାଇନା ଏନସିଙ୍କ ଉପରେ କରାଯାଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ବିଜେପି ମୁଖପାତ୍ର ଥିବା ସାଇନା ଏନସି ଚଳିତ ନିର୍ବାଚନରେ ଶିବସେନା (ସିନ୍ଦେ ଗୋଷ୍ଠୀ) ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ଭିଡିଓ କନଫରେନ୍ସି ଜରିଆରେ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ରାଜୀବ କୁମାର ମହିଳା ନେତ୍ରୀଙ୍କୁ ବିରୋଧ କରିବା ସହ ନିନ୍ଦା କରିଛନ୍ତି ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟି ଏକ ନିର୍ବାଚନ ପ୍ରଚାରର ପୋଷ୍ଟର ଭଳି ଦିଶୁଛି । ଉକ୍ତ ପୋଷ୍ଟରରେ ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନବିଶଙ୍କ ସହ ନରେନ୍ଦ୍ର ମୋଦି ଠିଆ ହୋଇଥିବାର ଦେଖାଯାଇଛି । ପୋଷ୍ଟରର ଉପର ପାର୍ଶ୍ଵରେ ଅନ୍ୟ ବିଜେପି ନେତାଙ୍କ ଫଟୋ ମଧ୍ୟ ଲାଗିଛି ଏବଂ ପୋଷ୍ଟର ଉପରେ ଲେଖା ହୋଇଛି, 'भाजप-महायुती आहे तर गती आहे गुजरातची प्रगती आहे'।
ଯାହାର ଓଡ଼ିଆ ଅର୍ଥ ହେଉଛି, ଭାଜପା- ମହାୟୁତି ଅଛି ତ ଗୁଜରାଟର ପ୍ରଗତି ଅଛି ।
ସୋସିଆଲ ମିଡିଆରେ ୟୁଜର୍ସ , गुजरातच्या प्रगतीसाठी भाजप महायुतीला मतदान करा… ଲେଖି ଉକ୍ତ ଫଟୋକୁ ସେୟାର କରିଥିଵାର ଦେଖା ଯାଇଛି ।
ଯାହାର ଓଡ଼ିଆ ଅନୁବାଦ ହେଉଛି, ବିଜେପି କୁ ଭୋଟ ଦିଅନ୍ତୁ ଏବଂ ଗୁଜରାଟର ପ୍ରଗତିରେ ଅଂଶୀଦାର ହୁଅନ୍ତୁ ।
ସତ୍ୟାସତ୍ୟ:
ଦାବିରେ ନାହିଁ କୌଣସି ସତ୍ୟତା, ଫଟୋରେ ଥିବା ଲେଖାକୁ ଏଡିଟ୍ କରାଯାଇଛି । ପ୍ରକୃତରେ ଫଟୋରେ ଗୁଜରାଟ ନୁହେଁ, ମାହାରାଷ୍ଟ୍ର ଲେଖା ହୋଇଛି ।
ଅନୁସନ୍ଧାନ କରିବାକୁ ଯାଇ ଭାଇରାଲ ପୋଷ୍ଟର କମେନ୍ଟରେ ଜଣେ ବ୍ୟକ୍ତି ଉକ୍ତ ଫଟୋଟି ଏଡିଟ୍ କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି । ଏପରିକି ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ବାଚନ କମିଶନରଙ୍କୁ ଅନୁରୋଧ କରିଛନ୍ତି ।
ସେହିପରି ଭାଇରାଲ ହେଉଥିବା ପୋଷ୍ଟରକୁ ଯେତେବେଳେ ରିଭର୍ସ ଇମେଜରେ ଅନୁସନ୍ଧାନ କରାଗଲା । ମୁମ୍ବାଇର ଭାରତୀୟ ଜନତା ୟୁଥ୍ ମୋର୍ଚ୍ଚାର ଜେନେରାଲ ସେକ୍ରେଟାରୀ ପ୍ରଭିଣ ଭାନୁସାଳି ସେହିଭଳି ଏକ ପୋଷ୍ଟର ସେୟାର କରିଛନ୍ତି, ଉକ୍ତ ପୋଷ୍ଟରରେ ମଧ୍ୟ ମହାରାଷ୍ଟ୍ର ଲେଖା ହୋଇଛି ।
ସେହିପରି ବିଜେପିର ଅଫିସିଆଲ ଫେସବୁକ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରାଯାଇଛି । ଫଟୋରେ ଅମିତ ସାହା ମଞ୍ଚ ଉପରେ ଠିଆ ହୋଇଥିବା ବେଳେ ପଛପଟେ ସେହି ସ୍ଲୋଗାନ ଲେଖା ହୋଇଛି, ଯେଉଁଥିରେ ମହାରାଷ୍ଟ୍ର ବୋଲି ଲେଖା ହୋଇଛି ।
ଏଥିରୁ ଜଣାଯାଏ ଯେ, ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ପୋଷ୍ଟରଟି ଏଡିଟ୍ କରାଯାଇଛି, ଯେଉଁଥିରେ ମହାରାଷ୍ଟ୍ର ସ୍ଥାନରେ ଗୁଜରାଟ ଲେଖା ହୋଇଛି । ପ୍ରକୃତ ସ୍ଲୋଗାନ ହେଉଛି ମହାୟୁତି କୁ ଭୋଟ ଦିଅନ୍ତୁ ଏବଂ ମହାରାଷ୍ଟ୍ର ପ୍ରଗତିରେ ଅଂଶୀଦାର ହୁଅନ୍ତୁ ।