ସାଇବର ଲୁଟେରାଙ୍କ ନୂଆ ମାଧ୍ୟମ ଡିଜିଟାଲ ଆରେଷ୍ଟ

କୌଣସି ଅଜଣା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ନିଜର ପରିଚୟ ପତ୍ର ଦିଅନ୍ତୁ ନାହିଁ । ଏଭଳି କୌଣସି ଫୋନ କଲ୍ ଆସିଲେ ତୁରନ୍ତ ନମ୍ବରଟିକୁ ବ୍ଲକ କରିଦିଅନ୍ତୁ ଏବଂ ନିକଟସ୍ଥ ପୋଲିସ୍ କିମ୍ବା ସାଇବର ସେଲ୍ ରେ ଅଭିଯୋଗ କରନ୍ତୁ ।

Update: 2024-10-20 05:26 GMT


କେତେବେଳେ ଆଧାର ଲିଙ୍କ କରିବା କହି ତ କେତେବେଳେ ସିମ୍ ଅପଡେଟ୍ ଭଳି ବିଭିନ୍ନ ଆଳ ଦେଖାଇ ଓଟିପି ନେଇ ଲୁଟି ନିଅନ୍ତି ଲକ୍ଷଲକ୍ଷ ତ କେତେବେଳେ କୋଟିକୋଟି । ଏନେଇ ପୋଲିସ୍ ଏବଂ ସାଇବର ବିଭାଗ ପକ୍ଷରୁ ବାରମ୍ବାର ସଚେତନତା ପରେ ଏବେ ନୂଆଁ ରାସ୍ତା ବାଛି ନେଇଛନ୍ତି ଏହି ଅନଲାଇନ ଲୁଟେରା ଗ୍ୟାଙ୍ଗ ।

ଲୁଟ୍, ଅପହରଣ, ହତ୍ୟା ଏଭଳି ଅପରାଧ କୁ ପଛରେ ପକାଇଛି ସାଇବର ଠକେଇ । ସଚେତନ ନଥିଲେ ଯିଏ କେହିବି ହୋଇପାରନ୍ତି ସାଇବର ଠକେଇର ଶିକାର । ସାଇବର ଠକ ହେଉଛନ୍ତି ଏଭଳି ଅପରାଧି ଯିଏକି ଲୁଟ୍ କରୁଥିବା ବ୍ୟକ୍ତିଙ୍କ ସାମ୍ନାକୁ ଆସିନଥାନ୍ତି । ତେଣୁ ଲୁଟ୍ ର ମୁଖ୍ୟ ମାଧ୍ୟମ ସାଜିଥାଏ ଫୋନକଲ । ଫୋନ କରି ଟେଲିଫୋନ ଟାୱାର ବସାଇବା ଆଳ ଦେଖାଇଥାନ୍ତି ନଚେତ ବ୍ୟାଙ୍କ କର୍ମଚାରୀ ହୋଇ ଲୋନ ପାସ କିମ୍ବା ଆଧାରଲିଙ୍କ ପାଇଁ ଓଟିପି ମାଗିଥାନ୍ତି । ଏଭଳି ବିଭିନ୍ନ ଆଳଦେଖାଇ ଓଟିପି ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାୟବ ହୋଇଥାଏ ସମସ୍ତ ଟଙ୍କା । ତେବେ ଖୋଦ୍ ସାଇବର ଠକ ସାଜିଛନ୍ତି ପୋଲିସ୍ । ପୋଲିସ୍ କିମ୍ବା କୌଣସି ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରିଥାନ୍ତି ପରେପରେ ବିଭିନ୍ନ ଅଭିଯୋଗରେ ଗିରଫ ଭୟ ଦେଖାଇ ଆରମ୍ଭ କରିଥାନ୍ତି ଲୁଟ୍ ପ୍ରକ୍ରିୟା ।

ନୂଆ ମାଧ୍ୟମରେ ସାଇବର ଲୁଟ୍, ଦିଲ୍ଲୀ ପୋଲିସ ନାଁରେ ଫୋନ କରୁଛନ୍ତି ସାଇବର ଠକ । କିଛି ଅପରାଧ ଲିଙ୍କ ଥିବାନେଇ ଦେଉଛନ୍ତି ଧମକ । ଟଙ୍କା ନଦେଲେ ଗିରଫ କରିବାକୁ ଭୟ ଦେଖାଉଛନ୍ତି । ଗତ ମାସରେ ଏମିତି ଏକ ୫ ଜଣିଆ ଗ୍ୟାଙ୍ଗ ଗିରଫ ହେବାପରେ ଖୋଲିବାକୁ ଲାଗିଛି ସାଇବର ଠକ ଗ୍ୟାଙ୍ଗଙ୍କ ଗୁମର । କଟକ - ଭୁବନେଶ୍ୱର କମିଶନରେଟ ପୋଲିସ ଦେଇଥିବା ସୁଚନା ଅନୁଯାୟୀ ୨୫ରାଜ୍ୟରୁ ୩୫କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ହୋଇଛି ।

ନୂଆ ତରିକା ଆପଣେଇ ନିଜେ ପୋଲିସ୍ ସାଜିଛନ୍ତି ଏହି ସାଇବର ଲୁଟେରା ଫେକ ପୋଲିସ, ଫେକ ୱେରେଣ୍ଟ, ଫେକ ଆରେଷ୍ଟ । ଏହା ହେଉଛି ଏବେ ସାଇବର ଠକଙ୍କ ନୂଆ ଫର୍ମାଟ । ଆରେଷ୍ଟ କରିବା ନାଁରେ ଲୁଟୁଛନ୍ତି ଲକ୍ଷଲକ୍ଷ ଟଙ୍କା । ପୂର୍ବରୁ ରାଜଧାନୀ ଦିଲ୍ଲୀ ଏବଂ ମାୟା ନଗରୀ ମୁମ୍ବାଇ ସହ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଏଭଳି ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି ।

ଓଡ଼ିଶାର ଢେଙ୍କାନାଳ ସହରର ରୋହିତ କୁମାର ନାମକ ଜଣେ ଯୁବକ ଏଭଳି ଲୁଟ୍ ର ଶିକାର ହେଉହେଉ ବଞ୍ଚିଥିଲେ । ଫୋନ ଯୋଗେ ପାର୍ସଲରେ କିଛି ଧଳା ଜହର ମିଳିଥିବା କହି ତାଙ୍କୁ ଗିରଫର ଭୟ ଦେଖାଇଥିଲ ଦୁର୍ବୃତ୍ତ । କିଛି ଲିଙ୍କ ପଠାଇ ସେଥିରେ ରେଜିଷ୍ଟ୍ରେସନ ଏବଂ ନିଜର ଡ଼କୁମେଣ୍ଟ ଅପଲୋଡ଼ କରିବାକୁ ମଧ୍ୟ କହିଥିଲେ । ଏପରିକି ପ୍ରଥମେ ଏକଲକ୍ଷ ପରେ ପଚାଶ ହଜାର ପରେପରେ ପଚିଶ ହଜାର ଦେବାକୁ କହିଥିଲେ । ତେବେ ଦୀର୍ଘ ସମୟ ଧରି କଥା ହେବାପରେ ରୋହିତ ଉକ୍ତ ଫୋନ କଲ୍ କୁ ଏଡ଼ାଇବା ଆରମ୍ଭ କରିଥିଲେ । ଏବଂ କାଳ କ୍ରମେ ସେଥିରୁ ଖସି ଆସିଥିଲେ ।

ନିମ୍ନରେ ଦର୍ଶା ଯାଇଥିବା ଲିଙ୍କଟି ତାଙ୍କୁ ରେଜିଷ୍ଟ୍ରେସନ ପାଇଁ ଦିଆଯାଇଥିଲା ଯାହାକି ସୁପ୍ରିମୋ କୋର୍ଟ ର ବୋଲି କହିଥିଲେ । ଉକ୍ତ ଲିଙ୍କଟିକୁ ଆପଣ ଯଦି ତର୍ଜମା କରି ଦେଖିବେ .gov ବଦଳରେ .qov ଲେଖା ହୋଇଛି । ଯେଉଁଥିରୁ ଜଣାଯାଏ ଯେ ଏହା କୌଣସି ସରକାରୀ ୱେବସାଇଟ ନୁହେଁ ।

https://www.scoi-qov.in/

ଦିଲ୍ଲୀର ଜଣେ ବାସିନ୍ଦା ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ଜଣେ ମହିଳା ଅନଲାଇନରେ କିଛି କିଣିଥିବା ବେଳେ ସେଥିରେ ଧଳା ଜହର ମିଳିଥିବା ଅଭିଯୋଗ ନେଇ କଷ୍ଟମ ବିଭାଗରୁ ତାଙ୍କୁ ଫୋନ ଆସିଥିଲା ଗିରଫରୁ ବଞ୍ଚିବାକୁ ଯାଇ ଅଗ୍ରୀମ ବେଲ୍ ମିଳିପାରିବ ବୋଲି ମଧ୍ୟ ଦର୍ଶାଇଥିଲା ତେବେ ଏ ବାବଦରେ ଏକଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ଲୁଟେରା ଫୋନ ଯୋଗେ କହିଥିଲା । କିଛି ଡ଼କୁମେଣ୍ଟ ମଧ୍ୟ ଅନଲାଇନ ଯୋଗେ ଲୁଟେରା ପଠାଇଥିଲେ । 

ଓଡ଼ିଶାରେ ଏବେ ସାଇବର ଠକଙ୍କ ନୂଆ ତରିକାରେ ଠକିବାର ଅଭିଯୋଗ ବଢୁଛି । ନିଜକୁ ମୁମ୍ବାଇ, ଦିଲ୍ଲୀ ପୋଲିସ ଅଥବା କଷ୍ଟମ ବିଭାଗର ଅଧିକାରୀ କହି ଫୋନ କରି ଡିଜିଟାଲ ଆରେଷ୍ଟ କରିବା ଭୟ ଦେଖାଇ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । ଆଉ ଏମାନେ ହେଉଛନ୍ତି ସେଇ ଫେକ ପୋଲିସ । ପୋଲିସ ପରିଚୟ ଦେଇ ଟଙ୍କା ନେବାରେ ଧୁରନ୍ଧର ଥିବା ଏହି ଗ୍ୟାଙ୍ଗ ଗିରଫ ପରେ ଖୋଳୁଛି ଗୁମର । ଓଡ଼ିଶା ସମେତ ୨୫ଟି ରାଜ୍ୟରେ ୩୫କୋଟି ଟଙ୍କା ଠକିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି କମିଶନରେଟ ପୋଲିସ । ଏମାନଙ୍କ ନାମରେ ଦେଶରେ ୪୬୦୦ ଅଭିଯୋଗ ହୋଇଥିଲା ବେଳେ ୧୭୮ଟି ଅଭିଯୋଗ ଆସିଛି । ଗତ ମେ ମାସରେ ଭୁବନେଶ୍ୱର ଜଣେ ବ୍ୟବସାୟୀଙ୍କ ମୁମ୍ବାଇ ପୋଲିସ କହି ୩୬ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ପରେ ଏହି ଗ୍ୟାଙ୍ଗକୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ସେହିଭଳି ନିଜକୁ ସିବିଆଇ ଅଧିକାରୀ କହି ସମ୍ବଲପୁରର ମହିଳା ବ୍ୟବସାୟୀଙ୍କୁ ଲୁଟ ଉଦ୍ୟମ କରିଥିବା ବେଳେ । ଧମକ ପୂର୍ଣ୍ଣ କଲ ସହ ଟଙ୍କା ନଦେଲେ ଗିରଫ କରିବାକୁ ଚେତାବନୀ ଦେଇଥିଲା ।

Full View

ଅନ୍ୟପଟେ ଏଭଳି ଏକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ୍ । ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ଏକ ଆପାର୍ଟମେଣ୍ଟର ଭଡାଘରେ ଚାଲିଥିବା ଏହି କଲ୍ ସେଣ୍ଟର ଉପରେ ଚଢ଼ାଉ କରି ନକଲି କଲ୍ ସେଣ୍ଡରର ଫର୍ଦାଫାର୍ସ କରିଛି ପୋଲିସ୍ ।

Full View

ପୋଲିସ କିମ୍ବା ସିବିଆଇ ନାଁରେ ଫୋନ କଲ ଆସିଲେ ଟଙ୍କା ନଦେଇ ପୋଲିସ ପାଖରେ ଅଭିଯୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ଏଥିପାଇଁ ହେଲ୍ପ ଲାଇନ ନମ୍ବର ୧୯୩୦ରେ ଫୋନ କରିବାକୁ ରାଜଧାନୀ ବାସିନ୍ଦା କୁ କହିଛନ୍ତି ପୋଲିସ କମିଶନର ।


ସେହିପରି କୋଚ୍ ବେହେର ପୋଲିସ୍ ଉକ୍ତ ଡକୁମେଣ୍ଟ ଗୁଡ଼ିକୁ ସେୟାର କରି ଏହା ଫେକ୍ ବୋଲି ଦର୍ଶାଇଛି । 

Full View


ଅନୁଗୁଳ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଡିଜିଟାଲ ଗିରଫ ନେଇ ମିଛ ଫୋନ କଲ କରି ଜନସାଧାରଣଙ୍କୁ ସାଇବର ଠକମାନେ ଠକୁଥିବା ବେଳେ, ଏ ଉପରେ ଏକ ବାର୍ତ୍ତା ଜନସାଧାରଣ ଉଦେଶ୍ୟରେ ପ୍ରସାରଣ କରାଯାଇଛି। ଜିଲା ସାଇବର ସେଲ୍‌ର ନୋଡାଲ ଅଧୀକାରୀ ଡିଏସପି ଯୋଗେଶ୍ଵରୀ ବେହେରା ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ।


ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ମୋବାଇଲରେ ଅଜଣା ଆପ୍ ଡାଉନଲୋଡ଼ କରନ୍ତୁ ନାହିଁ କିମ୍ବା ଆପଣଙ୍କ ପ୍ୟାନ କିମ୍ବା ଆଧାରର ଫଟୋ ରଖନ୍ତୁ ନାହିଁ । ଯଦି ସଫ୍ଟକପି ରଖିବାକୁ ଚାହୁଁଛନ୍ତି ତେବେ ଏହା ଗୁଗୁଲ ଡ୍ରାଇଭ କିମ୍ବା ଡିଜିଲକରରେ ରଖନ୍ତୁ । ଅନ୍ୟପଟେ ପ୍ରତିଟି ସିମ୍ ଗୁଡିକ ଯଦି ସରକାର ଇ- କେୱାଇସି କରାନ୍ତେ ତେବେ ସାଇବର କ୍ରାଇମ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ ହୋଇଯିବ, ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ ।

ସେହିପରି ଢେଙ୍କାନାଳରେ ଥିବା ଆଇଆଇଏମସିର ଆଞ୍ଚଳିକ ନିର୍ଦେଶକ ଆନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି, ସାଇବର ସୁରକ୍ଷା ନେଇ ଛାତ୍ରଛାତ୍ରୀ ମାନଙ୍କୁ ସାମ୍ବାଦିକତାର ପାଠ୍ୟକ୍ରମରେ ସମସ୍ତ ଶିକ୍ଷା ପ୍ରଦାନ କରାଯାଉଛି । ଯେପରିକି ଆଗକୁ ଯାଇ ସାଇବର ଲୁଟ୍ ରୁ ସିଏ ନିଜକୁ ବଞ୍ଚାଇବା ସହ ଖବର ପରିବେଷଣ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବେ । ଶ୍ରୀ ପ୍ରଧାନ ଏହା ମଧ୍ୟ କହିଛନ୍ତି ଯେ ଜଣେ ସାମ୍ବାଦିକ ପ୍ରଥମେ ନିଜେ ସଚେତନ ହେବା ନିହାତି ଆବଶ୍ୟକ । ନିଜ ମୋବାଇଲ ନିଜ ସୋସିଆଲ ସାଇଟ କିମ୍ବା ନିଜ ୱେବସାଇଟ କୁ ସୁରକ୍ଷିତ ରଖିବା ସାମ୍ବାଦିକର ପ୍ରଥମ କର୍ତ୍ତବ୍ୟ । ଯେପରିକି ତାଙ୍କ ସୋସିଆଲ ସାଇଟଟି ହ୍ୟାକ ହୋଇ କିଛି ଭୁଲ ବାର୍ତ୍ତା ଜନସାଧାରଣଙ୍କୁ ନଯାଏ । ତେଣୁ ସାମ୍ବାଦିକ ସଚେତନତା ମୁଳକ ଖବର ପ୍ରସାରଣ ସହ ନିଜେ ସଚେତନ ମଧ୍ୟ ରହିବା ନିହାତି ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ତେବେ ଲୋକେ ଏଭଳି ଲୁଟରୁ ବଞ୍ଚିବା ପାଇଁ ଗୃହ ମନ୍ତ୍ରଣାଳୟ, ରାଜ୍ୟ କ୍ରାଇମ ବ୍ରାଞ୍ଚ, ସାଇବର ସେଲ୍ ବହୁ ପଦକ୍ଷେପ ନେଉଛନ୍ତି । ଗଣମାଧ୍ୟମରେ ଏନେଇ ବହୁ ସଚେତନତା ମୂଳକ ବିଜ୍ଞାପନ ଓ ଖବର ପ୍ରସାରିତ ହେଉଛି, ତେବେ ଲୋକେ ନିଜେ ହିଁ ସଚେତନ ହେବା ପ୍ରଥମ ଆବଶ୍ୟକ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ କାନୁନଗୋ । ଏନେଇ ଅଧିକରୁ ଅଧିକ ତଥ୍ୟ ଗୁଗୁଲ/ ୟୁଟ୍ୟୁବରେ ରହିଛି। ଏନେଇ ଜନସାଧାରଣ ନିଜେ ସର୍ଚ୍ଚ କରନ୍ତୁ। ଆର୍ଥିକ ଠକାମିର ଶିକାର ହେଲେ ତୁରନ୍ତ ହେଲ୍ପଲାଇନ ନମ୍ବର-୧୯୩୦କୁ ଜଣାନ୍ତୁ। ନିଜେ ସଚେତନ ରୁହନ୍ତୁ, କାରଣ ନିଜ ସୁରକ୍ଷା ପ୍ରଥମେ ନିଜ ହାତରେ ।

ତେଣୁ ଏଭଳି ଲୁଟ୍ ର ଶିକାରରୁ ବର୍ତ୍ତି ବାକୁ ହେଲେ ଫୋନ ଯୋଗେ କୌଣସି ଅଜଣା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ନିଜର ପରିଚୟ ପତ୍ର ଦିଅନ୍ତୁ ନାହିଁ । ଏଭଳି କୌଣସି ଫୋନ କଲ୍ ଆସିଲେ ତୁରନ୍ତ ନମ୍ବରଟିକୁ ବ୍ଲକ କରିଦିଅନ୍ତୁ ଏବଂ ନିକଟସ୍ଥ ପୋଲିସ୍ କିମ୍ବା ସାଇବର ସେଲ୍ ରେ ଅଭିଯୋଗ କରନ୍ତୁ ।

Tags:    

Similar News