ଫ୍ୟାକ୍ଟଚେକ୍: ବାଂଲାଦେଶରେ ଘଟିଥିବା ହିଂସାକାଣ୍ଡକୁ ବିଭ୍ରାନ୍ତିକର ଦାବି ସହ କରାଯାଇଛି ଭାଇରାଲ
ଦାବିଟି ବିଭ୍ରାନ୍ତିକର । ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାର ବାଂଲାଦେଶର ଭିଡିଓ । ଚଳିତବର୍ଷ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଘଟିଥିବା ଅଘଟଣ ସହ ନାହିଁ କୌଣସି ସମ୍ପର୍କ।;

The violence in Bangladesh has been made viral with a misleading claim
ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ମୋଥାବାରିରେ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି । ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ଏନେଇ ପୁଲିସ ପ୍ରଶାସନ ନିକଟରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି । ୨୯ ମାର୍ଚ୍ଚ ୨୦୨୫ରେ ଏକ ଓଡ଼ିଆ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ପୁଲିସ ଆଇଜି ରାଜେଶ ଯାଦବ କହିଛନ୍ତି, ଗତରାତିରେ ରାମ ନବମୀ ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଯିବା ବେଳେ ମସ୍ଜିଦ୍ ଉପରକୁ ବାଣ ଫିଙ୍ଗାଯାଇଥିବା ଅଭିଯୋଗ କରି ମୁସଲିମ ସମ୍ପ୍ରଦାୟର କେତେକ ଲୋକ ଶୋଭାଯାତ୍ରା ଉପରକୁ ଢେଲାପଥର ମାଡ଼ କରିଥିଲେ ଓ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ସହ ପୁଲିସ ଜିପ୍ ଭାଙ୍ଗି ଦେଇଥିଲେ। ସେମାନଙ୍କୁ ଆୟତ୍ତ କରିବାକୁ ପୁଲିସ ଲୁହବୁହା ଗ୍ୟାସ୍ ଓ ଲାଠି ମାଡ଼ କରିଥିଲା । ପୂର୍ବାହ୍ଣରେ ଗତକାଲିର ଘଟଣାକୁ ନେଇ ପୁଣିଥରେ ଦୁଇ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ତେବେ ପୁଲିସ ହସ୍ତକ୍ଷେପ ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି। ପରିସ୍ଥିତିକୁ ଦେଖି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଭିଡିଓ ଆଧାରରେ ଦଙ୍ଗାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ୩୪ଜଣଙ୍କୁ ଗିରଫ କରାଯାଇଛି। ଆଜି ରାତିରେ ଉଭୟ ପକ୍ଷର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ସଫଳ ହୋଇଛି ଓ ସ୍ଥିତି ଖୁବ୍ଶୀଘ୍ର ଶାନ୍ତ ପଡ଼ିବା ଆଶା କରାଯାଉଛି। ଇଣ୍ଟରନେଟ୍ ବନ୍ଦ କରାଯାଇଥିଲେ ମଧ୍ୟ ରାମନବମୀ ଓ ଇଦ୍କୁ ଦୃଷ୍ଟିରେ ରଖି କେତେକ କୋହଳ ପଦକ୍ଷେପ ନିଆଯାଇଛି।
ଇତିମଧ୍ୟରେ ୩୨ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ବ୍ୟକ୍ତି ମୁହଁରେ କପଡା ବାନ୍ଧି ଭଙ୍ଗାରୁଜା କରୁଥିଵାର ଦେଖିବାକୁ ମିଳିଛି । ଏପରିକି ଏକ ରାସ୍ତାରେ ଯାଉଥିବା କିଛି ଗାଡିକୁ ନିଆଁ ଲଗାଇ ଦେଉଥିବାର ମଧ୍ୟ ଦେଖାଯାଇଛି ।
ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉକ୍ତ ଭିଡିଓଟି ପଶ୍ଚିମବଙ୍ଗର ମାଲଦା ଅଞ୍ଚଳର ଘଟଣା ବୋଲି ଦାବି କରିଛନ୍ତି । ବିଭିନ୍ନ ସମ୍ପ୍ରଦାୟିକ ଦାବି ସହ ଉକ୍ତ ଭିଡିଓଟି ସେୟାର ହୋଇଥିବାର ଦେଖିବାକୁ ମିଳିଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି I
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାର ବାଂଲାଦେଶର ଭିଡିଓ । ଚଳିତବର୍ଷ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଘଟିଥିବା ଅଘଟଣ ସହ ନାହିଁ କୌଣସି ସମ୍ପର୍କ ।
ତଦନ୍ତ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା ।
ଉକ୍ତ ଭିଡିଓଟି ପ୍ରୋଥୋମ ଆଲୋ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ୨୭ ନଭେମ୍ବର ୨୦୨୩ରେ ଅପଲୋଡ଼ ହୋଇଥିବା ବେଳେ ବଙ୍ଗଳା ଭାଷାର ଏକ ଶୀର୍ଷକ ସହ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି ।
ଯାହାର ଓଡ଼ିଆ ଅନୁବାଦ ହେଉଛି ସିଲହଟରେ ଅବରୋଧକୁ ସମର୍ଥନ କରି ମଶାଲ ଶୋଭାଯାତ୍ରା ଏବଂ ଯାନବାହାନ ଭଙ୍ଗାରୁଜା । ଯାହାର ଲିଙ୍କ ଏଠାରେ ଉପଲବ୍ଧ ରହିଛି । (ସ୍ପଷ୍ଟୀକରଣ: ଏହି ଲିଙ୍କରେ ଥିବା ଭିଡିଓ ଆପଣଙ୍କୁ ବ୍ୟଥିତ କରିପାରେ, ଦୟାକରି ସତର୍କ ରୁହନ୍ତୁ )
ଯେତେବେଳେ ଆମେ ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କରିଥିଲୁ ଉଭୟ ଭିଡିଓ ଗୋଟିଏ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ ।
(ସ୍ପଷ୍ଟୀକରଣ: ଉଭୟ ଭିଡିଓରେ ବ୍ୟଥିତ କରିବା ଭଳି ଦୃଶ୍ୟ ଥିବା ହେତୁ ତୁଳନାତ୍ମକ ଫଟୋ ଆମେ ଏଠାରେ ପ୍ରକାଶ କରିନାହୁଁ )
ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଭିଡିଓଟି ଅନ୍ୟୁନ୍ୟ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଯାହାକି ମାଲଦା ଅଘଟଣର ଢେର ପୂର୍ବର ।
ଉକ୍ତ କିୱାର୍ଡ ଗୁଡିକ ଅନୁସନ୍ଧାନ କରିବାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ।
ପ୍ରଥମ ଆଲୋ ଉକ୍ତ ଖବରକୁ ନିଜ ୱେବସାଇଟରେ ୨୬ ନଭେମ୍ବର ୨୦୨୩ରେ ପ୍ରସାରିତ କରି ଉଲ୍ଲେଖ କରିଛି, ସିଲହଟରେ ଅବରୋଧକୁ ସମର୍ଥନ କରି ବିଏନପି (ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି) ଦ୍ୱାରା ଏକ ମଶାଲ ଶୋଭାଯାତ୍ରା ଆୟୋଜିତ କରାଯାଇଛି । ଶୋଭାଯାତ୍ରା ସମୟରେ ଅନେକ ଯାନବାହନ ଭଙ୍ଗାରୁଜା କରାଯାଇଥିଲା ଏବଂ ନିଆଁ ଲଗାଇ ଦିଆଯାଇଥିଲା । ଖବରରେ ଏହା ମଧ୍ୟ ପ୍ରସାରିତ ହୋଇଛି ଯେ, ଏହି ଘଟଣା ୨୬ ନଭେମ୍ବର ୨୦୨୩ ସନ୍ଧ୍ୟା ପ୍ରାୟ ୭ଟାରେ ସୁବିଦ ବଜାର ଅଞ୍ଚଳରେ ଘଟିଥିଲା ।
ସେହିପରି ଆଉ ଏକ ସ୍ଥାନୀୟ ଗଣମାଧ୍ୟମ ସମାନ ସୂଚନା ସହ ଉକ୍ତ ଖବରଟିକୁ ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି ।
ଅନ୍ୟପଟେ ପଶ୍ଚିମବଙ୍ଗ ପୋଲିସ୍ ନିଜ ସୋସିଆଲ ମିଡିଆରେ ୨୮ ମାର୍ଚ୍ଚ ୨୦୨୫ରେ ଏନେଇ ଏକ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି ଯେ, ପୋଡ଼ାଜଳା ଏବଂ ଭଙ୍ଗାରୁଜା ହେଉଥିବା ଉକ୍ତ ଭିଡିଓଟିକୁ କିଛି ସୟୁଜର୍ସ ସୋସିଆଲ ମିଡିଆରେ ସେୟାର କରି ଏହା ମାଲଦା ଜିଲ୍ଲାର ଘଟଣା ବୋଲି ଉଲ୍ଲେଖ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ମିଥ୍ୟା, ଏହି ଭିଡିଓଟି ବାଂଲାଦେଶ ସିଲହଟ ଅଞ୍ଚଳରେ ନଭେମ୍ବର ୨୦୨୩ ର ଘଟଣା । ଗତକାଲି ମାଲଦାରେ ଘଟିଥିବା ଘଟଣା ସହ ଏହାର କୌଣସି ସମ୍ପର୍କ ନାହିଁ ।
ଏଥିରୁ ପ୍ରମାଣିତ ହେଲାଯେ, ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାର ବାଂଲାଦେଶର ଭିଡିଓ । ଚଳିତବର୍ଷ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଘଟିଥିବା ଅଘଟଣ ସହ ନାହିଁ କୌଣସି ସମ୍ପର୍କ।