ଫ୍ୟାକ୍ଟ ଚେକ୍: ଭାଇରାଲ ହେଉଥିବା ଫଟୋଟି ବହୁ ପୁରୁଣା, ଚଳିତ ବର୍ଷର ପଖାଳ ଦିବସ ସହ ନାହିଁ କୌଣସି ସମ୍ପର୍କ
ଭାଇରାଲ ହେଉଥିବା ଫଟୋଟି ୨୦୨୧ ମସିହାର ପଖାଳ ଦିବସର । ଚଳିତ ବର୍ଷର ପଖାଳ ଦିବସ ସହ ନାହିଁ କୌଣସି ସମ୍ପର୍କ ।;

The viral photo is very old and has no connection to this year's Pakhala Diwas.
ପ୍ରତିଟି ଓଡ଼ିଆ ଘରର ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଶା ଏବଂ ଓଡ଼ିଆଙ୍କ ନିତିଦିନିଆ ଜୀବନ ସହ ପଖାଳର ସମ୍ପର୍କ ଅତି ନିବିଡ଼ ଓ ପୁରାତନ । ଦିନଥିଲା ଗରିବଙ୍କ ଖାଦ୍ୟ କୁହାଯାଉଥିବା ପଖାଳ ଏବେ ବଡ଼ବଡ଼ିଆଙ୍କ ପସନ୍ଦର ଖାଦ୍ୟ ପାଲଟିଯାଇଛି । ଓଡ଼ିଆ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି ପଖାଳ। ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ପଖାଳ ଦିବସ’ ରୂପେ ପାଳନ କରାଯାଉଛି । ଖରାଦିନେ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଦହି ପଖାଳ, ସଜ ପଖାଳ, ଛୁଙ୍କ ପଖାଳ, ବାସି ପଖାଳ ଆଦି ଭିନ୍ନ ପ୍ରକାରର ପଖାଳ ଏବେ ମେନୁକାର୍ଡରେ ସ୍ଥାନ ପାଇଲାଣି ।
ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଉ କିଛି ବ୍ୟକ୍ତି କିଛି ଖାଦ୍ୟ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି । ତେବେ ଉକ୍ତ ଫଟୋଟି ଚଳିତ ବର୍ଷ ପାଳିତ ହୋଇଥିବା ପଖାଳ ଦିବସର ବୋଲି ଦାବି ହୋଇଛି । ଫଟୋ ଉପରେ ଲେଖା ହୋଇଛି ବାପର ଦଶକର୍ମ ନ ସରୁଣୁ ପୁଅ ହୋଟେଲରେ ପଖାଳ ଦିବସ ପାଳନ କରୁଛି । ୟେ ଫୁଣି ଓଡ଼ିଆ ଅସ୍ମିତା କଥା କହୁଥିଲା, ବୋଲି ଭାଇରାଲ ହେଉଥିବା ଫଟୋ ଉପରେ ଲେଖା ହୋଇଛି ।
ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକର, ଭାଇରାଲ ହେଉଥିବା ଫଟୋଟି ବହୁପୁରୁଣା ।ଚଳିତ ବର୍ଷ ପଖାଳ ଦିବସ ସହ ଉକ୍ତ ଫଟୋର ନାହିଁ କୌଣସି ସମ୍ପର୍କ ।
ତଦନ୍ତ କରିବାକୁଯାଇ ଯେତେବେଳେ ଆମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଗୁଡିକ ଦେଖିଥିଲୁ ପଖାଳ ଦିବସ ପାଳନ ନେଇ କୌଣସି ପୋଷ୍ଟ କିମ୍ବା ଫଟୋ ପାଇନଥିଲୁ ।
ତେବେ ୨୯ ମାର୍ଚ୍ଚ୨୦୨୫ରେ ଏକ ପୋଷ୍ଟ ଯୋଗେ ନିଜ ପିତାଙ୍କ ବିୟୋଗ ନେଇ ବାର୍ତ୍ତା ଦେଇଥିବାର ଦେଖିବାକୁ ମିଳିଛି ।
ସୂଚନା ଥାଉକି: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସୁପୁତ୍ର । ଯାହାଙ୍କ ଦେହାନ୍ତ ୧୭ ମାର୍ଚ୍ଚ ୨୦୨୫ରେ ଘଟିଥିଲା ।
ତେବେ ନିକଟରେ କିଛି କାର୍ଯ୍ୟକ୍ରମର ଫଟୋ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ନିଜ ବାପାଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଧର୍ମେନ୍ଦ୍ର କେସ କାଟିଥିବା ବେଳେ ଭାଇରାଲ ଫଟୋରେ କିନ୍ତୁ ସମ୍ପୂର୍ଣ୍ଣ କେସ ଥିବାର ଦେଖିବାକୁ ମିଳିଥିଲା ।
ତେଣୁ ଏହି ତୁଳନାରୁ ଜଣାଯାଏ ଯେ, ଭାଇରାଲ ହେଉଥିବା ଫଟୋଟି ନିକଟ ଦିନର ନୁହେଁ ।
ଅଧିକ ଅନୁସନ୍ଧାନ କରିବାକୁଯାଇ, ଯେତେବେଳେ ଆମେ ଭାଇରାଲ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ କିଛି ସୋସିଆଲ ମିଡିଆ ପୋଷ୍ଟ ହସ୍ତଗତ ହୋଇଥିଲା ।
୨୦ ମାର୍ଚ୍ଚ ୨୦୨୧ରେ ପଖାଳ ଦିବସ ପାଳନ କରି ନିଜେ କେନ୍ଦ୍ରମନ୍ତ୍ରୀ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଵାର ଦେଖିବାକୁ ମିଳିଛି ।
ଉକ୍ତ ପୋଷ୍ଟରେ ଥିବା ଫଟୋ ଗୁଡିକ ଭାଇରାଲ ଫଟୋ ସଦୃଶ୍ୟ ଥିବାରୁ ଆମେ ଉଭୟ ଫଟୋକୁ ତୁଳନା କରିଥିଲୁ ।
ଉକ୍ତ ଫଟୋଟି ଭାଇରାଲ ଫଟୋର ଅନ୍ୟ ଏକ କୋଣରୁ ଉଠାଇଥିବା ଫଟୋ ବୋଲି ତୁଳନାରୁ ଜଣାପଡିଥିଲା ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଭାଇରାଲ ହେଉଥିବା ଫଟୋଟି ଅନ୍ୟୁନ୍ୟ ୨୦୨୧ ମସିହାର ।
୨୧ ମାର୍ଚ୍ଚ ୨୦୨୧ରେ ଏକ ଖବର ପ୍ରସାରଣ କରି କନକ ନିୟୁଜ ଉଲ୍ଲେଖ କରିଛି । ଖବରରେ ଉଲ୍ଲେଖ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସାମ୍ବାଦିକ ମାନଙ୍କ ସହ ପଖାଳ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ସେହିପରି ଉକ୍ତ ଫଟୋକୁ ପ୍ରକାଶିତ କରି ୨୦୨୩ ମସିହାରେ ଓଡ଼ିଶା ବାର୍ତ୍ତା ପଖାଳ ଦିବସକୁ ନେଇ ଏକ ବିସ୍ତୃତ ଖବର ପ୍ରସାରଣ କରିଛି ।
ଉକ୍ତ ଘଟଣା ନେଇ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦୀପକ କୁମାର ଗୋଚ୍ଛାୟତ କହିଛନ୍ତି, ଏଭଳି ସମୟରେ ଏଭଳି ନିମ୍ନସ୍ତରର ଲେଖା ସେୟାର କରିବା ଅତି ହିନ ମାନସିକତାର ପରିଚୟ । ଜଣଙ୍କ ବାପାଙ୍କ ଦେହାନ୍ତର କିଛି ଦିନ ପରରେ ଜଣେ ପଖାଳ ଦିବସ ପାଳନ କରିବ, ସେଭଳି ଭାବୁଥିବା ବ୍ୟକ୍ତି କେବେହେଲେ ସଂସ୍କାରି ହୋଇନଥିବ ଏବଂ ସମସ୍ତେ ଜାଣିଛନ୍ତି ଏହି ଫଟୋଟି ବହୁପୁରୁଣା ।
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକର । ଭାଇରାଲ ହେଉଥିବା ଫଟୋଟି ୨୦୨୧ ମସିହାର ପଖାଳ ଦିବସର । ଚଳିତ ବର୍ଷର ପଖାଳ ଦିବସ ସହ ନାହିଁ କୌଣସି ସମ୍ପର୍କ ।